ପତ୍ରିକା-୧ (ଆଦ୍ୟପ୍ରକାଶ):    ପ୍ରବୋଧ ଚନ୍ଦ୍ରିକା,    ଉତ୍କଳ ଦର୍ପଣ,    ଉତ୍କଳ ମଧୁପ,    ପ୍ରଦୀପ,    ଆଶା,    ଇନ୍ଦ୍ରଧନୁ

ଆଦ୍ୟପ୍ରକାଶିତ ପତ୍ରିକା – ୧

ଓଡ଼ିଶାରେ ମୁଦ୍ରଣ ବ୍ୟବସ୍ଥା ଆରମ୍ଭ ହେଲା ପରେ କିଛି ପତ୍ରିକାର ନିୟମିତ ପ୍ରକାଶନ ଦିଗରେ ଉଦ୍ୟମ ଆରମ୍ଭ ହେଲା। ପ୍ରଥମ ତିନିଟି ଚେଷ୍ଟା ଭିତରୁ କେବଳ ପ୍ରବୋଧ ଚନ୍ଦ୍ରିକା(୧୮୫୬)ର କିଛି ଅଂଶ ଏବେ ପୁନଃମୁଦ୍ରିତ ରୂପରେ ବଞ୍ଚିରହିଛି। ପ୍ରଥମ ସାହିତ୍ୟ ପତ୍ରିକା ଉତ୍କଳ ଦର୍ପଣ(୧୮୭୩)ର ଅବସ୍ଥା ମଧ୍ୟ ସେହିଭଳି। ଏହି ଦୁଇଟି ସହିତ ପ୍ରଥମ ପର୍ଯ୍ୟାୟର ଆଉ କିଛି ପତ୍ରିକାର ମୂଳ ବା ପୁନଃମୁଦ୍ରିତ ପୃଷ୍ଠାଗୁଡ଼ିକର ଡିଜିଟାଲ ରୂପ ଡାହାଣ ପଟର ସାରଣୀ ସାହାଯ୍ୟରେ ଖୋଲିହେବ ବା ଡାଉନଲୋଡ୍ କରିହେବ।

ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ମଧ୍ୟ ଏଠାରେ ଦିଆଯାଇଛି। କୌଣସି ନମୁନା ସଂଖ୍ୟ ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ। ଅନ୍ୟ ଫାଇଲ୍‌ଗୁଡ଼ିକ ଉପରେ ମାଉସ୍ କ୍ଲିକ୍ କଲେ ତାହା ଡାଉନ୍‌ଲୋଡ୍ ହେବ।

 

 

 

 

 

 

ପ୍ରବୋଧ ଚନ୍ଦ୍ରିକା

ଜାନୁଆରୀ ୧୮୫୬ ମସିହାରେ ପାଦ୍ରୀ ଡବ୍ଲୁ. ସି. ଲେସିଙ୍କ ଦ୍ୱାରା ସମ୍ପାଦିତ ମାସିକ ପତ୍ରିକା। ପତ୍ରିକାଟିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଖ୍ରୀଷ୍ଟଧର୍ମର ପ୍ରଚାର ଓ ପ୍ରସାର। ମାତ୍ର ଏଥିରେ ଧର୍ମଚର୍ଚ୍ଚା ସହ ପ୍ରକାଶିତ ହେଲା କିଛି ସମ୍ବାଦ। ଏହି ପତ୍ରିକାରେ ପ୍ରଥମ ଥର ପାଇଁ ବିଜ୍ଞାନ ଲେଖା ପ୍ରକାଶିତ ହୋଇଥଲା। କହିବାକୁ ଗଲେ ସାଧାରଣ ଲୋକଙ୍କ ପାଇଁ ଏହା ହିଁ ପ୍ରଥମ ବିଜ୍ଞାନ ଲେଖା। ପତ୍ରିକାଟି ମାତ୍ର ତିନି ବର୍ଷ ପ୍ରକାଶିତ ହୋଇ ବନ୍ଦ ହୋଇଗଲା।

ନମୁନା   ପୁନଃମୁଦ୍ରିତ (2mb)


ଉତ୍କଳ ଦର୍ପଣ
ବାଲେଶ୍ୱର ସମ୍ବାଦବାହିକା ସାପ୍ତାହିକ ହେବାର ପ୍ରାୟ ବର୍ଷକ ପରେ ୧୮୭୩ ମସିହାରେ ଉତ୍କଳ ଦର୍ପଣ ପ୍ରକାଶିତ ହେଲା। ୧୮୭୫ ମସିହାରେ ଏହା ପାକ୍ଷିକ ସମ୍ବାଦପତ୍ରରେ ପରିଣତ ହେଲା। ୧୮୮୫ ମସିହାରେ ଏହା ବନ୍ଦ ହୋଇଯାଇଥିଲା। ଇନ୍ଦ୍ରବଲ୍ଲଭ ଭଟ୍ଟାଚାର୍ଯ୍ୟ ଏହାର ସମ୍ପାଦକ ଥିଲେ। ରାଧାନାଥ ରାୟଙ୍କର ପ୍ରଥମ ଲେଖାମାନ ଏଥିରେ ପ୍ରକାଶିତ ହୋଇଥିଲା। ଅନେକ ନୂଆ ଲେଖକ ସୃଷ୍ଟି କରିବାରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଏଥିରେ ମୁଖ୍ୟତଃ ଗ୍ରନ୍ଥ ସମୀକ୍ଷା, ସଂସ୍କୃତି, ସାହିତ୍ୟ, ସମାଜ ବିଜ୍ଞାନ, ବିଜ୍ଞାନ ଆଦି ଉପରେ ଲେଖା ରହୁଥିଲା। କହିବାକୁ ଗଲେ ଉତ୍କଳ ଦର୍ପଣ ହିଁ ଆଧୁନିକ ଉତ୍କଳ ସାହିତ୍ୟର ଆଦ୍ୟ ଲେଖକ ମଣ୍ଡଳୀ ସୃଷ୍ଟି କରିଛି।

ନମୁନା ମୂଳ ରୂପ (1mb) ପୁନଃମୁଦ୍ରିତ (3mb)


ଉତ୍କଳ ମଧୁପ

ଗୋପାଳଚନ୍ଦ୍ର ଦତ୍ତଙ୍କ ସମ୍ପାଦନାରେ ୧୮୭୮ ମସିହାରେ ଉତ୍କଳମଧୁପ ଆରମ୍ଭ ହୋଇଥିଲା। ଦ୍ୱିତୀୟ ବର୍ଷ କୃଷ୍ଣଚନ୍ଦ୍ର ପଟ୍ଟନାୟକ ଏହାର ସମ୍ପାଦନା ଦାୟିତ୍ୱ ନେଇଥିଲେ। ଏଥିରେ ଉପନ୍ୟାସ, ଅଭିନବ ଛାନ୍ଦ ଓ ବିଷୟବସ୍ତୁ ସମ୍ବଳିତ କବିତା, ଐତିହାସିକ, ବୈଜ୍ଞାନିକ ଓ ମନନଶୀଳ ପ୍ରବନ୍ଧ, ଆଲୋଚନା ଏବଂ ପୁସ୍ତକ ସମୀକ୍ଷା ଆଦି ପ୍ରକାଶ ପାଉଥିଲା। ଏହାର ମୁଖ୍ୟ ଲେଖକ ଥିଲେ ରାମଶଙ୍କର ରାୟ। ପତ୍ରିକାଟି ବେଶୀଦିନ ତିଷ୍ଠି ପାରି ନ ଥିଲା। ଗ୍ରାହକମାନଙ୍କ ଅନାଗ୍ରହ ଏବଂ ଆର୍ଥିକ ସମସ୍ୟା ଏହାର ବନ୍ଦ ହେବାର ମୁଖ୍ୟ କାରଣ ହେଲେ ମଧ୍ୟ ପ୍ରାଚୀନ ସାହିତ୍ୟର ଅଶ୍ଳୀଳତାକୁ ନେଇ ଉପୁଜିଥିବା ବିବାଦ ଯୋଗୁ ପତ୍ରିକାଟି ବନ୍ଦ ହୋଇଥିବାର ସମ୍ଭାବନା ରହିଛି।

ନମୁନା ପୁନଃମୁଦ୍ରିତ (10mb)


ପ୍ରଦୀପ

ସାହିତ୍ୟ ଓ ସମାଲୋଚନାମୂଳକ ପତ୍ରିକା ପ୍ରଦୀପ ପ୍ରକାଶ ପାଇଥିଲା ୧୮୮୫ ମସିହାରେ। ବୈକୁଣ୍ଠନାଥ ଦତ୍ତ ପତ୍ରିକାଟିର ସମ୍ପାଦନା କରୁଥିଲେ ଏବଂ ଏହାର ଏକ ନିଜସ୍ୱ ଲେଖକଗୋଷ୍ଠୀ ଥିଲେ। କିନ୍ତୁ ଲେଖାଗୁଡ଼ିକରେ ସେମାନଙ୍କ ନାଁ ରହୁ ନ ଥିଲା। ପ୍ରଦୀପରେ ଯେଉଁ କବିତା, ପ୍ରବନ୍ଧ, ଆଲୋଚନାମାନ ପ୍ରକାଶିତ ହେଉଥିଲା ସେସବୁ ପୂର୍ବବର୍ତ୍ତୀ ପତ୍ରିକା ତୁଳନାରେ ଉଚ୍ଚମାନର ଥିଲା। ଏହା ସହିତ ଏଥିରେ ଅଳ୍ପ କିଛି କବିତା ଏବଂ ଉପନ୍ୟାସ ମଧ୍ୟ ପ୍ରକାଶ ପାଇଥିଲା। ଏହାର ଭାଷା ଅତି ସରଳ ଥିଲା। ପ୍ରଚ୍ଛଦ ବିଭିନ୍ନ ରଙ୍ଗର କାଗଜରେ ଛପା ହେଉଥିଲା ଏବଂ ଏଥିରେ ବିଷୟସୂଚୀ ରହୁଥିଲା।

ନମୁନା ପୁନଃମୁଦ୍ରିତ (10mb)


ଆଶା

ବ୍ରାହ୍ମସମାଜ ଦ୍ୱାରା ପରିଚାଳିତ ମାସିକ ଧର୍ମ ଓ ସାହିତ୍ୟ ପତ୍ରିକା ୧୮୮୮ ମସିହାରେ ଆରମ୍ଭ ହୋଇଥିଲା। ୧୮୮୮-୯୦ ଯାଏଁ ଏହାର ସମ୍ପାଦକ ଥିଲେ ସାଧୁଚରଣ ରାୟ ଏବଂ ମଧୁସୂଦନ ରାଓ। ଦ୍ୱିତୀୟ ପର୍ଯ୍ୟାୟ (୧୮୯୨-୯୯) ଯାଏଁ ସମ୍ପାଦନା କଲେ ରେବା ରାୟ। ସ୍ତ୍ରୀଲୋକର ସାହସ, ସ୍ତ୍ରୀ ଶିକ୍ଷା, ସୁରାପାନ ଓ ଅବରୋଧ ପ୍ରଥାର ଉତ୍ପତ୍ତି, ମାତା ଓ ଶାଶୁ ପ୍ରତି ଭକ୍ତି ଉପରେ ପ୍ରବନ୍ଧମାନ ପ୍ରକାଶିତ ହେଉଥିଲା। ନିୟମିତ ଭାବରେ ରନ୍ଧନ ଉପରେ ଲେଖା ରହୁଥିଲା। କହିବାକୁ ଗଲେ ଆଶା ଜଣେ ନାରୀ ସମ୍ପାଦିତ ଓ ନାରୀ ସମସ୍ୟା କୈନ୍ଦ୍ରିକ ପ୍ରଥମ ଓଡ଼ିଆ ପତ୍ରିକା।

ନମୁନା ଫାଇଲ୍ ଡାଉନ୍‌ଲୋଡ୍


ଇନ୍ଦ୍ରଧନୁ

ଇନ୍ଦ୍ରଧନୁ ୧୮୯୩ ମସିହାରେ ପ୍ରକାଶିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ପତ୍ରିକାରେ ୪ ପୃଷ୍ଠା ରହୁଥିଲା ଏବଂ ପ୍ରତି ସଂଖ୍ୟା ୭ଟି ରଙ୍ଗର କାଗଜରେ ମୁଦ୍ରିତ ହେଉଥିଲା। ପତ୍ରିକାଟିର ଲେଖାଗୁଡ଼ିକରେ ସମ୍ପାଦକ ଓ ଲେଖକମାନଙ୍କର ନାଁ ରହୁ ନ ଥିଲା। ଏଥିରେ ମୁଖ୍ୟତଃ ପ୍ରାଚୀନ ସାହିତ୍ୟ ବିଶେଷ କରି ଭଞ୍ଜ ସାହିତ୍ୟ ଆଲୋଚିତ ହୋଇଛି। କିଛି ଉପନ୍ୟାସ, ପ୍ରବନ୍ଧ, ସଂକ୍ଷିପ୍ତ ଜୀବନୀ, ହାସ୍ୟରସାତ୍ମକ ଲେଖା, କବିତା ଆଦି ମଧ୍ୟ ରହୁଥିଲା। ଏସବୁ କାରଣରୁ ଆଧୁନିକ ସାହିତ୍ୟ ବିକାଶ ଓ ସାହିତ୍ୟ ସମାଲୋଚନାର ପଥ ପ୍ରଦର୍ଶନ ଦିଗରେ ଇନ୍ଦ୍ରଧନୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ନମୁନା ମୂଳ ରୂପ (1mb) ପୁନଃମୁଦ୍ରିତ (10mb)