ଓଡ଼ିଆ ମହାଭାରତ ପୃଷ୍ଠଭୂମି

ଡ. ଶ୍ରୀଚରଣ ମହାନ୍ତି, ଭୁବନେଶ୍ୱର

ଓଡ଼ିଆରେ ଛୋଟ ବଡ଼ ହୋଇ ଅନେକ ମହାଭାରତ ଲେଖାଯାଇଛି। ସେ ମଧ୍ୟରୁ ଚାରିଗୋଟି ମହାଭାରତ ପ୍ରମୁଖ ସ୍ଥାନ ଅଧିକାର କରିଅଛି। ୧. ସାରଳା ଦାସଙ୍କ ମହାଭାରତ, ୨. କୃଷ୍ଣସିଂହ ମହାଭାରତ, ୩. ଫକୀରମୋହନଙ୍କ ମହାଭାରତ ଓ ୪. ଗୋବିନ୍ଦଚନ୍ଦ୍ର ମହାପାତ୍ରଙ୍କ ମହାଭାରତ।

ଏ ସମସ୍ତ ମହାଭାରତ ଅନୁବାଦ ବା ପୁନର୍ଲିଖନ। ଭାରତବର୍ଷରେ ଏହି ପ୍ରକାର ଅନୁବାଦ ବା ପୁନର୍ଲିଖନ କାର୍ଯ୍ୟ ପ୍ରଥମେ ଦକ୍ଷିଣ ଭାରତରେ ଦ୍ୱାଦଶ ଶତାବ୍ଦୀରେ କନ୍ନଡ଼ ଭାଷାରେ ଓ ତ୍ରୟୋଦଶ ଶତାବ୍ଦୀରେ ତେଲଗୁ ଭାଷାରେ ଆରମ୍ଭ ହୋଇଥିଲା। ଏ ସବୁ ଅଧିକ ଭାବରେ ମୂଳାନୁଗତ।

୧. ସାରଳା ଦାସଙ୍କ ମହାଭାରତ
ପଞ୍ଚଦଶ ଶତାବ୍ଦୀର ମଧ୍ୟଭାଗରେ ସାରଳା ଦାସ ଏକ ମହାଭାରତ ପୁନର୍ଲିଖନ ଆରମ୍ଭ କଲେ। ସାରଳାଙ୍କ ମହାଭାରତ, ବ୍ୟାସକୃତ ମହାଭାରତ, ହରିବଂଶ ଓ ଅନ୍ୟାନ୍ୟ ବହୁ ପୁରାଣ, ଉପପୁରାଣ, କାବ୍ୟ ଆଦିକୁ ଆଧାର କରିବା ସହିତ ସେଥିରେ ସ୍ଥାନୀୟ କାହାଣୀ କିଂବଦନ୍ତୀକୁ ପିଣ୍ଡିତ (ନିର୍ଯ୍ୟାସ) କରି ମିଶାଇ ଏକ ନୂତନ ମହାଭାରତର ପରିକଳ୍ପନା ଓ ରଚନା କରିଛନ୍ତି।

ବହୁଦୃଷ୍ଟିରୁ ଏହା ଥିଲା ଅନନ୍ୟ। ସମଗ୍ର ଓଡ଼ିଶାରେ ସାରଳାଙ୍କ ମହାଭାରତ ପାଠ କରାଯାଉଥିଲା। ଏହାର ପ୍ରଚାର ଓ ପ୍ରସାର ଉତ୍ତରରେ ହୁଗୁଳୀଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଏଭଳିକି ପଶ୍ଚିମରେ ଆଧୁନିକ ଛତିଶଗଡ଼ ପର୍ଯ୍ୟନ୍ତ ବି ମହାଭାରତ ପଠନ ପାଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। କିନ୍ତୁ କେବେ ବି ଏହା ଏକ ଧାର୍ମିକ ଗ୍ରନ୍ଥର ମର୍ଯ୍ୟାଦା ପାଇ ନ ଥିଲା। ଓଡ଼ିଶାର ବିଶିଷ୍ଟ ପୁରାଣ ଗ୍ରନ୍ଥ ଭାଗବତ ଭଳି ମର୍ଯ୍ୟାଦା ଓ ଗ୍ରହଣଯୋଗ୍ୟତା ସାରଳା ମହାଭାରତକୁ କେବେ ମିଳି ନ ଥିଲା। ଏହା ସମକାଳରେ ଥିଲା ଏକ କାବ୍ୟ, ଲୋକଗାଥା ସଂଗ୍ରହ ଓ ଲୋକପୁରାଣ।

ଏହା ଥିଲା ସାରଳା ଦାସଙ୍କର ଏକକ ସୃଷ୍ଟି। ନିଜର ସାମର୍ଥ୍ୟ ଅନୁସାରେ ମହାଭାରତର କେତେକ ଅଂଶ ବେଳେ ବେଳେ ବ୍ୟାପକ ଓ କେତେବେଳେ ସଂକ୍ଷେପ ରୂପ ନେଇଥିଲା। କିନ୍ତୁ ସମଗ୍ର ସୃଷ୍ଟି, ଭାରତବର୍ଷର ବିଭିନ୍ନ ଭାଷାରେ ଅନୁଦିତ ହୋଇଥିବା ମହାଭାରତରେ ଏହାର ସ୍ଥାନ ସ୍ୱତନ୍ତ୍ର।

୨. କୃଷ୍ଣସିଂହ ମହାଭାରତ
କୃଷ୍ଣ ସିଂହ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଧରାକୋଟ ରାଜ୍ୟର ରାଜା ଥିଲେ। ଧରାକୋଟର ପ୍ରଖ୍ୟାତନାମା ରାଜା ରାମଚନ୍ଦ୍ର ସିଂହଙ୍କ କନିଷ୍ଠ ପୁତ୍ର ନୀଳାଦ୍ରି ସିଂହଙ୍କ ମଧ୍ୟମ ପୁତ୍ର ଥିଲେ କୃଷ୍ଣ ସିଂହ। ସେ ସମୟରେ ଦକ୍ଷିଣ ଓଡ଼ିଶାରେ ବ୍ୟାସଙ୍କ ମହାଭାରତର ଯେଉଁ ଗ୍ରନ୍ଥ ଉପଲବ୍ଧ ଥିଲା ସେହି ପାଠକୁ ଆଧାର କରି କୃଷ୍ଣସିଂହ ଓଡ଼ିଆ ଅନୁବାଦ କରିଛନ୍ତି। କୃଷ୍ଣ ସିଂହ ନିଜେ ଜଣେ ସାହିତ୍ୟ ପ୍ରେମୀ ଥିଲେ ଓ ସଂସ୍କୃତ ପଣ୍ଡିତମାନଙ୍କ ସହଯୋଗରେ ମୂଳଗ୍ରନ୍ଥକୁ ଯଥାସାଧ୍ୟ ଅନୁସରଣ କରି ଚଉଦ ଅକ୍ଷରି ବୃତ୍ତରେ ଗ୍ରନ୍ଥ ରଚନା କଲେ। ଏହି ମହାଭାରତ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବିଶେଷତଃ ଦକ୍ଷିଣ ଓଡ଼ିଶାରେ ହିଁ ପରିଚିତ ଥିଲା। କୃଷ୍ଣସିଂହଙ୍କ ମହାଭାରତର ପ୍ରଚାର ଓ ପ୍ରସାର ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରାୟତଃ ନ ଥିଲା ବୋଲି କହିଲେ ଚଳେ।

ମୂଳଗ୍ରନ୍ଥର ଅନୁବାଦ ହୋଇଥିଲେ ମଧ୍ୟ କବି କେତେକ କ୍ଷେତ୍ରରେ ସ୍ଥାନର ବର୍ଣ୍ଣନା ଓ ନାରୀ ବର୍ଣ୍ଣନା ସମୟରେ ଉତ୍କଳର ପରିବେଶକୁ ଆପଣେଇ ନେଇଛନ୍ତି। ଓଡ଼ିଆ ଭାଷାର ଶକ୍ତି ଓ ମୌଳିକତା କୃଷ୍ଣସିଂହଙ୍କ ମହାଭାରତରେ ସ୍ପଷ୍ଟ ପ୍ରମାଣିତ ହୋଇଛି।

୩. ଫକୀରମୋହନଙ୍କ ମହାଭାରତ ଓ ୪. ଗୋବିନ୍ଦଚନ୍ଦ୍ର ମହାପାତ୍ରଙ୍କ ମହାଭାରତ
୧୮୫୦ ମସିହା ପରେ ବଙ୍ଗଳାର ଜଣେ ବିଖ୍ୟାତ ଜମିଦାର କାଳିପ୍ରସନ୍ନ ସିଂହ ବହୁ ପଣ୍ଡିତଙ୍କୁ ଏକଜୁଟ କରି ମହାଭାରତର ଉପଲବ୍ଧ ପାଠଗୁଡ଼ିକର ବିଚାର ବିଶ୍ଳେଷଣ କରି ଓ ସିଦ୍ଧାନ୍ତ ନେଇ ମହାଭାରତର ଏକ ଗଦ୍ୟାନୁବାଦ ପ୍ରସ୍ତୁତ କରିଥିଲେ। ଏହି କାଳିପ୍ରସନ୍ନ ସିଂହଙ୍କ ମହାଭାରତକୁ ଆଶ୍ରୟ କରି ପ୍ରଥମେ ଫକୀରମୋହନ ପଦ୍ୟରେ ଓ ଗୋବିନ୍ଦଚନ୍ଦ୍ର ମହାପାତ୍ର ଗଦ୍ୟରେ ମହାଭାରତ ରଚନା କଲେ। ପ୍ରକୃତରେ ଗୋବିନ୍ଦଚନ୍ଦ୍ର ଓ ଫକୀରମୋହନଙ୍କ ମହାଭାରତ ପ୍ରାୟତଃ ସମାନ କାରଣ ଏ ଦୁଇ ପୁସ୍ତକର ଉତ୍ସ ସମାନ।

ଗୋବିନ୍ଦଚନ୍ଦ୍ର ମହାପାତ୍ର ୧୮୯୦ ମସିହା ପରେ କାମ ଆରମ୍ଭ କରିଛନ୍ତି। ୧୮୯୭ ମସିହା ଅକ୍ଟୋବର ମାସରେ ମହାଭାରତର ଆଦିପର୍ବ ମୟୂରଭଞ୍ଜ ରାଜ୍ୟର ଛାପାଖାନାରୁ ପ୍ରକାଶ ପାଇଥିଲା, ପରେ ଏହା ଓଡ଼ିଶା ସାହିତ୍ୟ ଏକାଡେ଼ମୀରୁ ପ୍ରକାଶ ପାଇଲା। ସଂସ୍କୃତ ମହାଭାରତର ୧୮ ଖଣ୍ଡରୁ ଗୋବିନ୍ଦଚନ୍ଦ୍ର ପାଞ୍ଚଖଣ୍ଡ – ଆଦିପର୍ବ, ସଭାପର୍ବ, ବନପର୍ବ, ବିରାଟପର୍ବ, ଅନୁବାଦ କରିସାରି ଭୀଷ୍ମ ପର୍ବର ଆଂଶିକ ଅନୁବାଦ କରିଥିଲେ। ହଠାତ ତାଙ୍କର ହୃଦକ୍ରିୟା ବନ୍ଦହୋଇ ମୃତ୍ୟୁ ଘଟିବାରୁ କାମଟି ଅସମ୍ପୂର୍ଣ୍ଣ ରହିଥିଲା। ପରେ ତାଙ୍କର ପୁତ୍ର ମନମୋହନ ମହାପାତ୍ର, ଭାତୃଷ୍ପୁତ୍ର ରାଜେଶ୍ୱର ମହାପାତ୍ର, ପାରେଶ୍ୱର ସେନାପତି ଓ ତାଙ୍କ ଜାମାତା କପିଳେଶ୍ୱର ମିଶ୍ର ଅବଶିଷ୍ଟ ପର୍ବକୁ ଅନୁବାଦ କରିଥିଲେ।

ସଂସ୍କୃତ ମହାଭାରତର ଅନୁବାଦ କରିବା ସଂପର୍କରେ ସୂଚନା ଦେଇ ଗୋବିନ୍ଦଚନ୍ଦ୍ର ମହାପାତ୍ର ଲେଖିଥିଲେ – “ମହାଭାରତର ପ୍ରକୃତ ଅନୁବାଦ ଉତ୍କଳ ଭାଷାରେ ନ ଥିଲା ବୋଇଲେ ଅତ୍ୟୁକ୍ତି ହେବନାହିଁ। ଗଦ୍ୟରେ ନାହିଁ ପଦ୍ୟରେ ଅଛି। ଏହା ଅନୁବାଦ କରିବା ପୂର୍ବରୁ ଆମ୍ଭେ ସ୍ୱର୍ଗୀୟ କାଳୀପ୍ରସନ୍ନ ସିଂହଙ୍କର ଓ ଶ୍ରୀ ସତ୍ୟବ୍ରତ ଭଟ୍ଟାଚାର୍ଯ୍ୟଙ୍କ କୃତ ଅନୁବାଦ ଗ୍ରନ୍ଥ ଦ୍ୱୟକୁ ଆଲୋଚନା କରିଅଛୁ।“ ଗୋବିନ୍ଦଚନ୍ଦ୍ର ମହାପାତ୍ର ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ଗୃହଶିକ୍ଷକ ଥିଲେ। ଏ ପୁସ୍ତକକୁ ପ୍ରସ୍ତୁତ ଓ ପ୍ରକାଶ କରିବା ପାଇଁ କିଛି ସହଯୋଗୀଙ୍କ ସାହାଯ୍ୟ ନେଇଥିଲେ।

ଫକୀରମୋହନ ୧୮୮୫ ପରେ ତାଙ୍କର କାମ ଆରମ୍ଭ କରିଛନ୍ତି। ୧୮୮୫-୮୬ ମସିହାରେ ତାଙ୍କର ମହାଭାରତ ବହି ଆକାରରେ ବାହାରିଲା ବେଳକୁ ଶ୍ରୀମଦ୍ଭଗବତ ଗୀତାକୁ ସେ ଅଲଗା କରି ପ୍ରକାଶ କରିଥିଲେ।