ଓଡ଼ିଆ ଭାଷା ସାଧନ

ଓଡ଼ିଆ ଭାଷାରେ କମ୍ପ୍ୟୁଟର କାମ କରିବା ପାଇଁ କିଛି ସ୍ୱତନ୍ତ୍ର ସାଧନ ବା କୌଶଳ ଦରକାର ହୁଏ। ସେଭଳି କିଛି ସାଧନ ସୃଜନିକା ଦ୍ୱାରା ବିକଶିତ କରାଯାଇଛି। ସମୟକ୍ରମେ ସେଥିରୁ କିଛି ମୁଖ୍ୟ ବ୍ୟବସ୍ଥାରେ ମିଶି ଯାଇଛି, ଆଉ କିଛି ଏବେ ମଧ୍ୟ ଏକକ ରୂପରେ କାମରେ ଲାଗୁଛି। ଅନ୍ୟମାନଙ୍କ କାମରେ ଲାଗିବା ପାଇଁ ସେଗୁଡ଼ିକ ଏଠାରେ ଦିଆଯାଇଛି। ବ୍ୟବହାରକାରୀମାନେ ଏସବୁକୁ ଆହୁରି ଉନ୍ନତ କରିବେ ବୋଲି ଆଶା ମଧ୍ୟ କରାଯାଉଛି।

ଅନ୍ୟମାନଙ୍କ ଦ୍ୱାରା ଏଭଳି ସାଧନ ମଧ୍ୟ ବିକଶିତ ହୋଇଛି ଯାହା ଆମକୁ ବିଶେଷ ଭାବରେ ସାହାଯ୍ୟ କରୁଛି। ସେସବୁର ଲିଙ୍କ୍ ଏଠାରେ ରହିଛି। ଆହୁରି କିଛି ସାଧନ ଥାଇପାରେ ଯାହା ଆମେ ବ୍ୟବହାର କରିନାହୁଁ ବା ଯାହାର ସୂଚନା ଆମ ପାଖରେ ନାହିଁ। ତାହା ବିଷୟରେ ଜଣାଇଲେ ଉପଯୁକ୍ତ ଲିଙ୍କ୍ ଯୋଡ଼ିବାର ବ୍ୟବସ୍ଥା କରିବୁ।

ଓଡ଼ିଆ ବହିପତ୍ର ଏବେ ଅନେକ ୱେବ୍‌ସ୍ଥଳୀରେ ମିଳୁଛି। ସେଥିରୁ କିଛି ସହିତ ସୃଜନିକା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଯୋଡ଼ା। ସେଭଳି ୱେବ୍‌ସ୍ଥଳୀର ଏବଂ ଏହିଭଳି କାମ କରୁଥିବା ଦଳମାନଙ୍କର ଲିଙ୍କ୍ କିଛି ଏଠାରେ ରହିଛି।

 

ଓଡ଼ିଆ ୟୁନିକୋଡ୍ କିବୋର୍ଡ

ଓଡ଼ିଆ-ଇଂରାଜି ଲିପ୍ୟନ୍ତରଣ

ଫଣ୍ଟ ପରିବର୍ତ୍ତକ (କନ୍‌ଭର୍ଟର)

ଓଡ଼ିଆ ଶବ୍ଦ ଭଣ୍ଡାର (କର୍ପସ୍) ସାଧନ

ଓଡ଼ିଆ ବହି ଥିବା ୱେବ୍‌ସ୍ଥଳୀ

ବିଶେଷ ଧରଣର ସହଯୋଗୀ ୱେବ୍‌ସ୍ଥଳୀ

ଓଡ଼ିଆ ୟୁନିକୋଡ୍ କିବୋର୍ଡ
କମ୍ପ୍ୟୁଟରରେ କାମ କରିବା ପାଇଁ କିବୋର୍ଡ ଅତି ଗୁରୁତ୍ୱପୂର୍ଣ୍ଣ। ଓଡ଼ିଆ ଏବଂ ଅନ୍ୟ ସବୁ ଭାରତୀୟ ଭାଷାମାନଙ୍କ ପାଇଁ ISCII ନାମକ ମାନକ କୋଡିଙ୍ଗ୍ ଓ INSCRIPT କିବୋର୍ଡ ବ୍ୟବସ୍ଥା ଏଥିପାଇଁ ବିକଶିତ କରାଯାଇଛି ଏବଂ ତାହାର ପ୍ରଚଳନ ପାଇଁ ୧୯୯୦ ଦଶକରୁ କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶ ଜାରି କରାଯାଇଛି। କିନ୍ତୁ ଏହାକୁ ପ୍ରାୟ କେହି ମାନିନାହାନ୍ତି ଏବଂ ନିଜ ନିଜ ଧାରାରେ କୋଡିଙ୍ଗ୍ ଓ କିବୋର୍ଡ ତିଆରି କରିଛନ୍ତି। ଫଳରେ ଭାରତୀୟ ଭାଷାମାନଙ୍କରେ ତିଆରି କମ୍ପ୍ୟୁଟର ଫାଇଲଗୁଡ଼ିକ ସାର୍ବଜନୀନ ହୋଇପାରିନାହିଁ। (କୋଡିଙ୍ଗ୍ ଚାର୍ଟ ପାଇଁ ଏଠାରେ କ୍ଲିକ୍ କରନ୍ତୁ)
ପର ସମୟରେ ବିକଶିତ ୟୁନିକୋଡ୍ ବ୍ୟବସ୍ଥାର ବ୍ୟବହାର ଏହି ବିଭ୍ରାଟକୁ ଦୂର କରିବାର ସାମର୍ଥ୍ୟ ରଖିଛି (ଓଡ଼ିଆ ୟୁନିକୋଡ୍ ଚାର୍ଟ)। କିନ୍ତୁ ଓଡ଼ିଆରେ ପ୍ରାୟ କେହି ତାହାକୁ ବ୍ୟବହାର କରୁନାହାନ୍ତି। ଏହାର ଗୋଟିଏ ଛୋଟ କାରଣ ଥିଲା ୱିଣ୍ଡୋଜ୍ ୭ର ତ୍ରୁଟିପୂର୍ଣ୍ଣ କିବୋର୍ଡ। ଏହାକୁ ସୁଧାରିବା ପାଇଁ କେତେଗୁଡ଼ିଏ କିବୋର୍ଡ ବିକଶିତ ହୋଇଛି, କିନ୍ତୁ ସେଥିରୁ ଅଧିକାଂଶ ଇନ୍‌ସ୍କ୍ରିପ୍ଟ ମାନକ ଆଧାରିତ ନୁହନ୍ତି। ସୃଜନିକା ଦ୍ୱାରା ବିକଶିତ ଇନ୍‌ସ୍କ୍ରିପ୍ଟ ଆଧାରିତ କିବୋର୍ଡ ଏଠାରେ ଦିଆଯାଇଛି। zip ଫାଇଲ୍ ଭିତରେ ଉଭୟ ୱିଣ୍ଡୋଜ୍ ଓ ଲିନକ୍ସ ପାଇଁ ଉପଯୋଗୀ ସଠିକ କିବୋର୍ଡ (କିମ୍ୟାପ୍), କିବିନ୍ୟାସ ଚିତ୍ର ଓ ବ୍ୟବହାର ପାଇଁ ସୂଚନା ରହିଛି। ୱିଣ୍ଡୋଜ୍ ୭, ୮ ,୧୦ରେ ଏହା କାମ କରିବ। କିବୋର୍ଡ ଡାଉନ୍‌ଲୋଡ୍ ପାଇଁ ଏଠାରେ କ୍ଲିକ୍ କରନ୍ତୁ। ବ୍ୟବହାର ପାଇଁ ସୂଚନା ତାହା ଭିତରେ ରହିଛି।

ଓଡ଼ିଆ-ଇଂରାଜି ଲିପ୍ୟନ୍ତରଣ (ରୋମାନାଇଜେସନ୍)
ଓଡ଼ିଆ ଶବ୍ଦକୁ ଇଂରାଜୀ ଅକ୍ଷରରେ ଲେଖିବା ବେଳେ ‘ଅ/ଆ’ ‘ତ/ଟ’ ‘ଡ/ଦ’ ଆଦି କ୍ଷେତ୍ରରେ କିଛି ଉଚ୍ଚାରଣଗତ ଅସୁବିଧା ହୋଇଥାଏ। ଏହାକୁ ଏଡ଼ାଇବା କେତେ ପ୍ରକାରର ବ୍ୟବସ୍ଥା ରହିଛି। ସେଥିରୁ ଗୋଟିଏ ହେଉଛି ଡାଏକ୍ରିଟିକ୍ ଚିହ୍ନର ବ୍ୟବହାର। ଓଡ଼ିଆ ଲେଖା ପାଇଁ ଡାଏକ୍ରିଟିକ୍ ଚିହ୍ନର ମାନକ ସ୍ଥିର କରାଯାଇନାହିଁ। ଏଥିପାଇଁ ଓ ଟାଇପ୍ କରିବାର ଅସୁବିଧା ପାଇଁ ଏହାର ବ୍ୟବହାର ସୀମିତ ରହିଛି।
ଏହାର ଏକ ସରଳ ଧାରାରେ ମାତ୍ର ୬ଟି ଡାଇକ୍ରିଟିକ୍ ଚିହ୍ନରେ ଓଡ଼ିଆର ସବୁ ଅକ୍ଷର ବା କାର ଲେଖାଯାଇପାରିବ। ଚିହ୍ନଗୁଡ଼ିକର ତାଲିକା ଓ ଟାଇପ୍ କରିବାର ବାଟ ଏଠାରେ ଦିଆଯାଇଛି। ଏହି ଚିହ୍ନଗୁଡ଼ିକ extended roman ବର୍ଗର ୟୁନିକୋଡ୍ ସଂକେତ। ଟାଇପ୍ କରିବା ପାଇଁ ସେଗୁଡ଼ିକର ଦଶମିକ (ଡେସିମାଲ୍) କୋଡ୍ ବ୍ୟବହାର କରିବାକୁ ହୁଏ। ତାଲିକା ଅନୁସାରେ ପ୍ରଥମେ ଇଂରାଜୀ ଅକ୍ଷର ଟାଇପ୍ କରିବାକୁ ହେବ, ତାପରେ ଅଲ୍‌ଟ୍ ଚାବି ଦବାଇରଖି ଦଶମିକ କୋଡ୍ ସଂଖ୍ୟା କିବୋର୍ଡର ଡାହାଣ ପଟେ ଥିବା ନିଉମରିକାଲ୍ କିପ୍ୟାଡ୍‌ରେ ଟାଇପ୍ କରିବାକୁ ହେବ। ନିଉମରିକାଲ୍ କିପ୍ୟାଡ୍‌ ସକ୍ରିୟ କରିବା ପାଇଁ ‘ନମ୍‌ ଲକ୍’ ଚାବି ଦବାଯାଇଥିବା ଦରକାର। ଏରିଏଲ୍ ବା ଟାଇମ୍‌ସ୍ ନିଉ ରୋମାନ୍ ଭଳି ଇଂରାଜୀ ଫଣ୍ଟ୍ ମଧ୍ୟ ବ୍ୟବହାର କରିବା ଦରକାର, କାରଣ ସବୁ ଫଣ୍ଟ୍‌ରେ ଏଙି ଚିହ୍ନଗୁଡ଼ିକ ନ ଥାଏ। ଲିବର୍‌ଅଫିସ୍ ରାଇଟ୍ ବା ମାଇକ୍ରୋସଫ୍ଟ ୱର୍ଡ ଭଳି ୱର୍ଡପ୍ରସେସର୍‌ରେ ଏହି ଚିହ୍ନଗୁଡ଼ିକ ଠିକ୍ ଭାବରେ ଟାଇପ୍ କରିହୁଏ ନାହିଁ। ତେଣୁ ନୋଟ୍‌ପ୍ୟାଡ୍ ବା ୱର୍ଡ୍‌ପ୍ୟାଡ୍‌ରେ ଟାଇପ୍ କରି କପି-ପେଷ୍ଟ କରିବାକୁ ହେବ।
ବେଳେ ବେଳେ ଦୁଇଟି ଡାଇକ୍ରିଟିକ୍ ଦେବାକୁ ହେବ, ଯେପରି ଆଁ ଲେଖିବା ପାଇଁ a ଅକ୍ଷରରେ ଆ କାର ଓ ଚନ୍ଦ୍ରବିନ୍ଦୁ ପାଇଁ ଦୁଇଟି ଚିହ୍ନ ̄ ଓ ͂ (ā͂) ଦେବାକୁ ହେବ। ଏବେ ୠ ଌ ଅକ୍ଷର ବ୍ୟବହାର ହେଉନାହିଁ। ତଥାପି ପୁରୁଣା ବହି ବା ପତ୍ରିକାରେ ସେ ଅକ୍ଷର ବ୍ୟବହାର ହୋଇଛି। ତେଣୁ ସେ ବିଷୟ ସବୁକୁ ଏବେ ପୁଣି ଥରେ ଟାଇପ କରିବା ପାଇଁ ଡାଇକ୍ରିଟିକ୍ ଚିହ୍ନ ବ୍ୟବହାର କରାଯାଇପାରିବ।
ଓଡ଼ିଆ-ଇଂରାଜି ଡାଏକ୍ରିଟିକ୍ ତାଲିକା ଓ ବ୍ୟବହାର ସୂଚନା ଡାଉନ୍‌ଲୋଡ୍ ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଫଣ୍ଟ ପରିବର୍ତ୍ତକ (କନ୍‌ଭର୍ଟର)
ପୁରୁଣା ୮ ବିଟ୍ ଫଣ୍ଟରେ ଥିବା ଲେଖାକୁ ୟୁନିକୋଡ୍ ଅକ୍ଷରକୁ ଆଣିବା ପାଇଁ କିଛି ପରିବର୍ତ୍ତକ ଏଠାରେ ଦିଆଯାଇଛି। କୌଣସିଟିର ନାମ ଉପରେ କ୍ଲିକ୍ କଲେ ତାହା ଡାଉନ୍‌ଲୋଡ୍ ହେବ।
୧. ଡି-ଇସ୍କିଫାଇ (deisciify) [ଲିନକ୍ସ ପ୍ରଚାଳନ ତନ୍ତ୍ର (ଅପରେଟିଙ୍ଗ ସିଷ୍ଟମ) ପାଇଁ] – ସଠିକ୍ ISCII ପ୍ରଣାଳୀରେ ଥିବା ଫାଇଲ୍‌ଗୁଡ଼ିକ ଏହା ସାହାଯ୍ୟରେ ୟୁନିକୋଡ୍‌କୁ ଅଣାଯାଇ ପାରିବ। ଜିଷ୍ଟ ଆଧାରିତ ସଫ୍ଟୱେର (ଆଇଲିପ୍, ଲିପ୍ ଅଫିସ୍, ଆଇ.ଏସ୍.ଏମ୍.) ସାହାଯ୍ୟରେ ତିଆରି ଟେକ୍ଟ ଫାଇଲ ପାଇଁ ଏହା କାମ କରିବ। ଆକୃତି, ଶ୍ରୀଲିପି ଆଦି ଅନ୍ୟ ସଫ୍ଟ‌ୱେର ପାଇଁ ଏହା କାମ କରିବନାହିଁ, କାରଣ ସେଗୁଡ଼ିକ ଇସ୍କି ଧାରାକୁ ମାନୁ ନ ଥିଲେ। ପେଜ୍‌ମେକର ଫାଇଲ ପାଇଁ ମଧ୍ୟ ଏହା ସିଧା ସଳଖ କାମ କରିବନାହିଁ। ଡିଇସ୍କିଫାଇ ସାହାଯ୍ୟରେ ଅନେକ ଫାଇଲ୍ ଏକା ଥରରେ ବଦଳା ଯାଇପାରିବ (ବ୍ୟାଚ୍ ମୋଡ୍)।
୨. କନ୍‌ଭର୍ଟ (convert) [ଲିନକ୍ସ ପ୍ରଚାଳନ ତନ୍ତ୍ର (ଅପରେଟିଙ୍ଗ ସିଷ୍ଟମ) ପାଇଁ] – ଜିଷ୍ଟ ପେଜ୍‌ମେକର ଫାଇଲର ତଥ୍ୟକୁ ଟେକ୍ଟ ଭାବରେ ସେଭ୍ କରି ଏହି କାରିକା ସାହାଯ୍ୟରେ ବ୍ୟାଚ୍ ମୋଡ୍‌ରେ ୟୁନିକୋଡ୍‌ରେ ବଦଳା ଯାଇପାରିବ।
୩. କରେକସନ୍ (correction) [ଲିନକ୍ସ ପ୍ରଚାଳନ ତନ୍ତ୍ର (ଅପରେଟିଙ୍ଗ ସିଷ୍ଟମ) ପାଇଁ] – ପୁରୁଣା ୮ ବିଟ୍ ଫଣ୍ଟ୍‌କୁ ୟୁନିକୋଡ୍‌ରେ ବଦଳାଇବା ବେଳେ ଅନେକ ସମୟରେ ବ/ୱ ଓ ଯ/ୟ ଏବଂ ସେହି ଫଳାଗୁଡ଼ିକ ଓଲଟ ପାଲଟ ହୋଇଯାଏ। ତାହା ଏହି କାରିକା (ପ୍ରୋଗ୍ରାମ୍) ସାହାଯ୍ୟରେ ସଜଡ଼ା ଯାଇପାରିବ।
୪. ଜିଷ୍ଟ, ଆକୃତି, ଶ୍ରୀଲିପି ଭଳି ବିଭିନ୍ନ ଓଡ଼ିଆ ଇଞ୍ଜିନ୍‌ ଓ ପେଜ୍‌ମେକର ସାହାଯ୍ୟରେ ତିଆରି ଓଡ଼ିଆ ଲେଖାକୁ ୟୁନିକୋଡ୍ ଅକ୍ଷରକୁ ଆଣିବା ପାଇଁ ଅଲଗା ଅଲଗା ପରିବର୍ତ୍ତକ ଦରକାର ହୁଏ। ସୃଜନିକା ଦ୍ୱାରା ବିକଶିତ ପ୍ରଥମ ପର୍ଯ୍ୟାୟର ପରିବର୍ତ୍ତକଗୁଡ଼ିକ ଏଠାରେ ରହିଛି – ଜିଷ୍ଟ, ଆକୃତି, ଶ୍ରୀଲିପି। ୱିକିପିଡିଆ ଦଳ ଦ୍ୱାରା ପ୍ରସ୍ତୁତ ଏସବୁର ଉନ୍ନତ ଓ ଏକତ୍ରିତ ରୂପ ବ୍ୟବହାର ପାଇଁ ଅଧିକ ଉପଯୋଗୀ – ୱିକିପିଡ଼ିଆ ପରିବର୍ତ୍ତକ। ଏଗୁଡ଼ିକ ୱିଣ୍ଡୋଜ୍ ଓ ଲିନକ୍ସ ଉଭୟରେ କାମ କରିବ।

ଓଡ଼ିଆ ଶବ୍ଦ ଭଣ୍ଡାର (କର୍ପସ୍) ସାଧନ
ଭାଷା ଅଧ୍ୟୟନ ପାଇଁ ଏବଂ ଅଭିଧାନ ପ୍ରସ୍ତୁତି ପାଇଁ ‘ଶବ୍ଦ ଭଣ୍ଡାର’ ଗଢ଼ିବା ଓ ତାହାର ବିଶ୍ଳେଷଣ କରିବା ଏକ ଗୁରୁତ୍ୱପୂର୍ଣ୍ଣ କାମ। କମ୍ପ୍ୟୁଟର ସାହାଯ୍ୟରେ ଏହା ଫଳପ୍ରଦ ଭାବରେ କରାଯାଇ ପାରିବ। ୟୁନିକୋଡ୍ ଧାରାରେ ଲେଖାଯାଇଥିବା ତଥ୍ୟରୁ ଗୋଟି ଗୋଟି ଶବ୍ଦ ଅଲଗା କରିବା, କେଉଁ ଶବ୍ଦ କେତେ ଥର ଆସୁଛି (ପୁନଃପୁନତା ବା ଫ୍ରିକ୍ୱେନ୍‌ସି) ତାହା ଗଣିବା ଏବଂ ପ୍ରତି ଶବ୍ଦରୁ ଗୋଟିଏ ଗୋଟିଏ ବାଛିରଖିବା କାମ ସ୍ୱୟଂକ୍ରିୟ ଭାବରେ କରିବା ପାଇଁ ଏହି ‘ଓଡ଼ିସର୍ଟ’ [ଲିନକ୍ସ ପ୍ରଚାଳନ ତନ୍ତ୍ର (ଅପରେଟିଙ୍ଗ ସିଷ୍ଟମ) ପାଇଁ] କାରିକା ସାହାଯ୍ୟ କରିବ।
ଡି-ଇସ୍କିଫାଇ, କନ୍‌ଭର୍ଟ, କରେକସନ୍, ଓଡ଼ିସର୍ଟ – ଡାଉନ୍‌ଲୋଡ୍। ଏହି ଚାରିଟି କାରିକା ଗୋଟିଏ ଫୋଲ୍‌ଡରରେ ରଖି ବ୍ୟବହାର କରିବା ଦରକାର। ବିଭିନ୍ନ ସହାୟକ ସାଧନ (dependencies) ସହିତ ଏସବୁଗୁଡ଼ିକ ଏକାଠି Utility Programs ଡାଉନ୍‌ଲୋଡ୍ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। ବ୍ୟବହାର ପାଇଁ ସୂଚନା ଏହା ସହିତ ରହିଛି।

ଓଡ଼ିଆ ଭାଷା ପାଇଁ ଆହୁରି ଅନେକ ସାଧନ ଓ ସୂଚନା ପାଇଁ ଦେଖନ୍ତୁ-
୧. ଓଡ଼ିଆ-ଲାଙ୍ଗୁଏଜ୍, ୨. ପି-ଶୁଭାଶିଷ
ଇଣ୍ଟର୍‌ନେଟ୍‌ରେ ଖୋଜିଲେ ଆହୁରି ଅନେକ କିଛି ସାଧନ ମିଳିପାରିବ।

ଓଡ଼ିଆ ବହି ଥିବା ୱେବ୍‌ସ୍ଥଳୀ
ଖୁସିର କଥା ଯେ ଇଣ୍ଟର୍‌ନେଟ୍‌ରେ ଅନେକ ଜାଗାରେ ଓଡ଼ିଆ ବହି ଏବେ ମିଳିପାରୁଛି। ସେଥିରୁ କିଛି ମୁଖ୍ୟ ହେଉଛି-
୧. ଇଣ୍ଟର୍‌ନେଟ୍ ଆର୍କାଇଭ୍
୨. ୱିକିସୋର୍ସ
୩. ଏନ୍.ଆଇ.ଟି. – ରାଉରକେଲା
୪. ଓଡ଼ିଆ
୫. ଓଡ଼ିଆ ଭର୍ଚୁଆଲ୍ ଏକାଡେମି
ୱେବ୍‌ସ୍ଥଳୀରେ ୪ ଓ ୫ରେ ସୃଜନିକା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନେକ ଡିଜିଟାଲ ବହି ରଖାଯାଇଛି, କିନ୍ତୁ ଏଥିପାଇଁ ଆମ ସହିତ ଯୋଗାଯୋଗ କରାଯାଇନାହିଁ ବା ଉତ୍ସର ସ୍ୱୀକୃତି ଦିଆଯାଇନାହିଁ। ‘ଓଡ଼ିଆ ଭର୍ଚୁଆଲ୍ ଏକାଡେମି’ର ବ୍ୟବହାର ଅତି ଦୁର୍ଭାଗ୍ୟଜନକ – ସେଠାରେ ଥିବା ୯୦%ରୁ ଅଧିକ ବହି ସୃଜନିକାର ସିଡି-ଡିଭିଡିରୁ ନିଆଯାଇଛି ଏବଂ ୱେବ୍ ଉପଯୋଗୀ ନ କରି ସେହିପରି ରଖାଯାଇଛି। ରାଜ୍ୟ ଅଭିଲେଖାଗାର, ରାଜ୍ୟ ମିଉଜିଅମ୍, ସାହିତ୍ୟ ଏକାଡେମି ଆଦି ସରକାରୀ ପ୍ରତିଷ୍ଠାନରେ ଚାଲିଥିବା ଡିଜିଟାଇଜେସନ୍ କାମର ଫଳାଫଳ ବା ବିବରଣୀ ସେଠାରେ ରହିନାହିଁ କହିଲେ ଚଳେ।

ବିଶେଷ ଧରଣର ସହଯୋଗୀ ୱେବ୍‌ସ୍ଥଳୀ
୬. ଅରବିନ୍ଦ ଗୁପ୍ତା। ଏଠାରେ ସୃଜନିକାର ସବୁ ବହି ସମେତ ଶିକ୍ଷା ଓ ବିଜ୍ଞାନ ବିଷୟରେ ଅନେକ ସୁନ୍ଦର ବହି ଓ ଲେଖା ରହିଛି।
୭. ଏକଲବ୍ୟ। ଶିକ୍ଷା ଓ ବିଜ୍ଞାନ ବିଷୟରେ ବିଭିନ୍ନ ବହି ଓ ପତ୍ରିକା (ମୁଖ୍ୟତଃ ହିନ୍ଦି ଓ ଇଂରାଜୀ ଭାଷାରେ) ଏଠାରେ ମିଳିପାରିବ। ପିଲାଙ୍କ ପାଇଁ ବହିଗୁଡ଼ିକ ଖୁବ୍ ମନଛୁଆଁ।