ସଚ୍ଚି ରାଉତରାୟ ସଂକଳନ

କବି ସଚ୍ଚିଦାନନ୍ଦ ରାଉତରାୟ ଖୋର୍ଦ୍ଧା ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ୧୯୧୬ ମସିହା ମେ ୧୩ ତାରିଖ ଦିନ ଜନ୍ମ ହୋଇଥିଲେ। ତାଙ୍କ ପିତା ପ୍ରସନ୍ନ କୁମାର ରାଉତରାୟ ଜଣେ ଆଇନଜୀବୀ ଥଲେ। ସଚ୍ଚିଦାନନ୍ଦଙ୍କୁ ତାଙ୍କ ବଡ଼ବାପା ପିଲାଦିନୁ ପୁଅ କରି ନେଇଥିଲେ।

ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ ସଚ୍ଚି ରାଉତରାୟଙ୍କ ଲେଖନୀ ପ୍ରାୟ ସାଢ଼େ ସାତ ଦଶନ୍ଧି ଧରି ସକ୍ରିୟ ଥିଲା। ତାଙ୍କୁ ଜନତାର କବି କୁହାଯାଏ। ଓଡ଼ିଆ ଓ ଇଂରାଜୀରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଯାଇଛନ୍ତି। ୧୯୮୬ରେ ସେ ଲାଭ କରିଥିଲେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ୧୯୮୮ରେ କଟକର ଶ୍ରୀରାମଚନ୍ଦ୍ର ଭବନରେ ଓଡ଼ିଶାବାସୀଙ୍କ ପକ୍ଷରୁ ‘ମହାକବି’ ଉପାଧି ପ୍ରଦାନ କରାଯାଇଥିଲା।

ତାଙ୍କର ଅଧିକାଂଶ କବିତାରେ ଉଗ୍ର ସାମ୍ୟବାଦର ଚିହ୍ନ ସ୍ପଷ୍ଟ ବାରିହୁଏ। ଔପନ୍ୟାସିକ ଗୋପୀନାଥ ମହାନ୍ତି, ତାଙ୍କ କବିତାଗୁଡ଼ିକୁ ଘଡ଼ଘଡ଼ି ଭାବେ ଆଖ୍ୟାୟିତ କରିଥିଲେ। ପନ୍ଦର ବର୍ଷ ବୟସରେ ସଚ୍ଚି ରାଉତରାୟଙ୍କ କବି ଜୀବନ ଆରମ୍ଭ ହୋଇଥିଲା। ୧୯୨୮ରେ ପଞ୍ଚାମୃତ ପତ୍ରିକାରେ ପ୍ରକାଶ ହୋଇଥିଲା ତାଙ୍କର ପ୍ରଥମ କବିତା।

ସଚ୍ଚିଦାନନ୍ଦ ରାଉତରାୟଙ୍କର କର୍ମଜୀବନର ମୁଖ୍ୟ କାଳ କଟିଥିଲା କଲିକତାରେ (କେଶୋରାମ କଟନ୍ ମିଲ୍‌ସ୍‌ର ଲେବର୍ ଅଫିସର)। ନିଜର ସୁଦୀର୍ଘ କର୍ମମୟ ଜୀବନରେ ଦେଶ-ବିଦେଶରେ, ଆନ୍ତର୍ଜାତୀୟ ପରିସରରେ, ଓଡ଼ିଶାର ମହାନ ଐତିହ୍ୟ ଓ କଳା-କୀର୍ତ୍ତିର ଯଥାଯଥ ଉପସ୍ଥାପନା ଏବଂ ବ୍ୟାଖ୍ୟା କରିଥିଲେ। ଓଡ଼ିଆ ସାହିତ୍ୟରେ ଚାଲିଥିବା ଦୁର୍ନୀତିକୁ ନେଇ ସେ ଆଜୀବନ ବ୍ୟଥିତ ଥିଲେ। ସଚ୍ଚି ରାଉତରାୟଙ୍କ ପାଇଁ ଜୀବନ ଥିଲା, ଏକ ଅପେକ୍ଷା। ସେ କହିଛନ୍ତି, ‘ଯାହା ବଞ୍ଚାଯାଏ, ତାହା ହିଁ ଜୀବନ; ଯାହା ଅଭିନୀତ ହୁଏ, ତାହା ନୁହେଁ।’ ତାଙ୍କ ଦୃଷ୍ଟିରେ ମଣିଷ ପ୍ରଥମେ ମଣିଷ – ସେ ପଶୁ ନୁହେଁ କି ଦେବତା ନୁହେଁ। ମଣିଷର ମଣିଷ ପଣିଆକୁ ଯିଏ ଦେଖେନାହିଁ, ସେ କିଛି ହିଁ ଦେଖେନାହିଁ।

ତଳ ସୂଚୀ ସାହାଯ୍ୟରେ ସଚ୍ଚିଦାନନ୍ଦଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଓପନ୍/ଡାଉନ୍‌ଲୋଡ୍ ଉପରେ କ୍ଲିକ୍ କରି ସଂଗ୍ରହ କରିହେବ।