ଆଦ୍ୟପ୍ରକାଶିତ ପତ୍ରିକା – ୨

ପ୍ରଥମ ସାହିତ୍ୟ ପତ୍ରିକା ଉତ୍କଳ ଦର୍ପଣ (୧୮୭୩) ବେଶି ଦିନ ବଞ୍ଚି ରହି ନ ଥିଲା। କିନ୍ତୁ ତାହା ପକାଇଥିବା ମୂଳଦୁଆ ଉପରେ ଆଉ କିଛି ନୂଆ ପତ୍ରିକା ମୁଣ୍ଡ ଟେକିବାକୁ ସାହସ କଲେ। ଏଗୁଡ଼ିକ ମଧ୍ୟ ବେଶି ଦିନ ବଞ୍ଚି ନ ଥିଲେ ସତ, କିନ୍ତୁ ପତ୍ରିକା ପ୍ରକାଶନର ଧାରାକୁ ପାକଳ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେଲା।

ଦୁଃଖର କଥା ଏ ସବୁ ଭିତରୁ ଅଧିକାଂଶ ଆଜି ବିଲୁପ୍ତ। ଯାହା ବି କିଛି ରହିଛି ସେଗୁଡ଼ିକର ଅବସ୍ଥା ବେଶ୍ ଖରାପ ଏବଂ ସେଗୁଡ଼ିକର ସଂରକ୍ଷଣ ଦିଗରେ ସହଯୋଗର ଅଭାବ।

୧୯୦୦ ମସିହା ଆଗରୁ ପ୍ରକାଶ ପାଇଥିବା କିଛି ପତ୍ରିକାର ଡିଜିଟାଲ ରୂପ ଡାହାଣ ପଟର ସାରଣୀ ସାହାଯ୍ୟରେ ଖୋଲିହେବ ବା ଡାଉନଲୋଡ୍ କରିହେବ।

ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ମଧ୍ୟ ଏଠାରେ ଦିଆଯାଇଛି। କୌଣସି ନମୁନା ସଂଖ୍ୟ ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ। ଅନ୍ୟ ଫାଇଲ୍‌ଗୁଡ଼ିକ ଉପରେ ମାଉସ୍ କ୍ଲିକ୍ କଲେ ତାହା ଡାଉନ୍‌ଲୋଡ୍ ହେବ।

 

ବିଦେଶୀ

ଦିନନାଥ ବନ୍ଦୋପାଧ୍ୟାୟଙ୍କ ସମ୍ପାଦନାରେ ୧୮୬୯ ମସିହାରେ ପ୍ରକାଶିତ। ଏହାର ସମ୍ପାଦକ ଜଣେ ନିର୍ଭୀକ ବ୍ୟକ୍ତି ଥିଲେ। ତାଙ୍କର ତୀବ୍ର ସମାଲୋଚନାର ଶରବ୍ୟ ହୋଇଥିଲେ ଉତ୍କଳ ହିତୈଷିଣୀ, ସରକାର ଓ ଅନ୍ୟାନ୍ୟ ସମ୍ପାଦକଗୋଷ୍ଠୀ। ଏହି ପତ୍ରିକାରେ ଇଂରାଜୀରେ ପ୍ରବନ୍ଧ ଓ ଓଡ଼ିଆରେ କବିତା ଲେଖାମାନ ପ୍ରକାଶ ପାଉଥିଲା।

ନମୁନା ଫାଇଲ୍ ଡାଉନ୍‌ଲୋଡ୍


ସେବକ

ଭାବଗ୍ରାହୀ ଦାସଙ୍କ ସମ୍ପାଦନାରେ ୧୮୮୩ ମସିହାରେ ସେବକ ପତ୍ରିକା ପ୍ରକାଶ ପାଇଥିଲା। କଟକ ମିଶନ ପ୍ରେସରେ ଏହା ମୁଦ୍ରିତ ହେଉଥିଲା। ପତ୍ରିକାଟିରେ ମୁଖ୍ୟତଃ ବ୍ରାହ୍ମ ସଙ୍ଗୀତ, ଦର୍ଶନ, ବିଚାରର ସମ୍ବାଦମାନ ପ୍ରକାଶିତ ହେଉଥିଲା। ଚତୁର୍ଭୁଜ ପଟ୍ଟନାୟକଙ୍କର ବ୍ରାହ୍ମବାଦୀ ମାନସିକତାରେ ଏହା ମୁଖପତ୍ର। ୧୮୮୪ ମସିହାରେ ଏହା ସଂସ୍କାରକ ପତ୍ରିକା ସହ ମିଶିଯାଇଛି।

ନମୁନା ଫାଇଲ୍ ଡାଉନ୍‌ଲୋଡ୍


ସଂସ୍କାରକ ଓ ସେବକ

ଭାବଗ୍ରାହୀ ଦାସଙ୍କ ଦ୍ୱାରା ସମ୍ପାଦିତ ଏହି ମାସିକ ପତ୍ରିକାଟି ୧୮୮୪ ମସିହାରେ ପ୍ରଥମ ପ୍ରକାଶିତ ହୋଇଥିଲା। ଏଥିରେ ଇଂରାଜୀ ଭାଷାରେ ସମ୍ପାଦକୀୟ ରହୁଥିଲା। ଏହାର ଲେଖାଗୁଡ଼ିକ ମୁଖ୍ୟତଃ ବ୍ରାହ୍ମଧର୍ମ ଦ୍ୱାରା ପ୍ରଭାବିତ। ଏଥିରେ ପ୍ରବନ୍ଧ, ସମାଲୋଚନା, କବିତା, ଗପ, ଗ୍ରନ୍ଥସମୀକ୍ଷା ଆଦି ସ୍ଥାନ ପାଉଥିଲା।

ନମୁନା ଫାଇଲ୍ ଡାଉନ୍‌ଲୋଡ୍


ତାରକା

ସ୍କୁଲପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି ପତ୍ରିକାଟି ବାଲେଶ୍ୱରରୁ ୧୮୮୩ ମସିହାରେ ପ୍ରକାଶ ପାଇଥିଲା। ଏଥିରେ ଛୋଟ ଛୋଟ ଗପ, କବିତା, ଜୀବନୀ, ଆଲୋଚନା ଓ ସମ୍ବାଦ ସ୍ଥାନ ପାଉଥିଲା। ଗପଗୁଡ଼ିକ ସାଧାରଣତଃ ଉପଦେଶାତ୍ମକ। ପିଲା ବୁଝିପାରିଲା ଭଳି ଗଣିତ ଓ ବିଜ୍ଞାନର ତତ୍ତ୍ୱକୁ ମଧ୍ୟ ସରଳ ଭାଷାରେ କୁହାଯାଇଥିଲା। ଲେଖାଗୁଡିକ ରେଖାଚିତ୍ର ଦ୍ୱାରା ସମୃଦ୍ଧ। ପତ୍ରିକାର ପୃଷ୍ଠା ଖୋଲିଦେଲେ ପିଲାଟିଏ ଏକ ସମୟରେ ଚିତ୍ର, ଗପ, କବିତା, ବ୍ୟାଖ୍ୟା ସବୁକିଛି ପାଇଯାଉଥିଲା।

ନମୁନା ଫାଇଲ୍ ଡାଉନ୍‌ଲୋଡ୍


ଶିକ୍ଷାବନ୍ଧୁ

ଶିକ୍ଷାବନ୍ଧୁ ୧୮୮୫ ମସିହାରେ ପ୍ରକାଶିତ ଏକ ମାସିକ ପତ୍ରିକା ମଧୁସୂଦନ ରାଓ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଅଧ୍ୟାପନାରେ ସାହାଯ୍ୟ କରିବା ପାଇଁ ଏକ ପତ୍ରିକାର ଆବଶ୍ୟକତା ଅନୁଭବ କରି ଏହି ପତ୍ରିକାର ସୃଷ୍ଟି କରିଥିଲେ। ସେତେବେଳେ ଏହାର ସମ୍ପାଦକ ଥିଲେ ଯୋଗେଶଚନ୍ଦ୍ର ଜେନା। ଦୁଇବର୍ଷ ନିୟମିତ ପ୍ରକାଶିତ ହେବା ପରେ ଏହା ବନ୍ଦ ହୋଇଯାଇଥିଲା। ଏଥିରେ ମୁଖ୍ୟତଃ ଶିକ୍ଷା ଓ ସାହିତ୍ୟ ସଂକ୍ରାନ୍ତ ଆଲୋଚନା ହେଉଥିଲା। ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ବିଷୟକ ଆଲୋଚନା ପତ୍ରିକାଟିର ଆଉ ଏକ ଆକର୍ଷଣ ଥିଲା।

ନମୁନା ଫାଇଲ୍ ଡାଉନ୍‌ଲୋଡ୍


ତାରକା ଓ ଶୁଭବାର୍ତ୍ତା

ପାଦ୍ରୀ ମିଲର୍‌ଙ୍କ ସମ୍ପାଦନାରେ ୧୮୮୬ ମସିହାରେ ପ୍ରକାଶିତ ମିଶନାରୀ ମାସିକ ପତ୍ରିକା। ଏଥିରେ ଖ୍ରୀଷ୍ଟିଆନ ମିଶନର ଆୟବ୍ୟୟ, ଚର୍ଚ୍ଚସଂଖ୍ୟା, ଧର୍ମପ୍ରଚାରକଙ୍କ ସଂଖ୍ୟା, ସେମାନଙ୍କର କାର୍ଯ୍ୟବିଧି ପ୍ରକାଶିତ ହେଉଥିଲା। ପତ୍ରିକାର ଗଦ୍ୟ ଲିଖନ ଶୈଳୀ ଯୁକ୍ତିନିଷ୍ଠ, ତଥ୍ୟପୁଷ୍ଟ ଓ ପୂର୍ବ ପ୍ରକାଶିତ ପ୍ରାଣହୀନ ମିଶନାରୀ ଶୈଳୀଠାରୁ ଅଲଗା। ମୁଖ୍ୟତଃ ପତ୍ରିକାର ଉଦ୍ଦେଶ୍ୟ ସମାଜ ସଂସ୍କାର ବୋଲି ପ୍ରତ୍ୟେକ ଆଲୋଚନାରୁ ଜଣାଯାଏ।

ନମୁନା ଫାଇଲ୍ ଡାଉନ୍‌ଲୋଡ୍


ଉତ୍କଳ-ପ୍ରଭା

ଊନବିଂଶ ଶତାବ୍ଦୀର ଶେଷ ଦଶନ୍ଧି ବା ୧୮୯୧ ମସିହାରେ ଏହି ପତ୍ରିକା ପ୍ରକାଶିତ ହୋଇଥିଲା। ମାତ୍ର ଚାରିବର୍ଷ ପାଇଁ ପତ୍ରିକାଟି ପ୍ରକାଶ ପାଇଥିଲା। ଏଥିରେ ସାହିତ୍ୟ ସହିତ ବିଜ୍ଞାନ, ଦର୍ଶନ, ନୀତି ସମ୍ବନ୍ଧୀୟ ପ୍ରବନ୍ଧ ଆଦି ରହୁଥିଲା। ଏହାର ପ୍ରବନ୍ଧଗୁଡ଼ିକରେ ଥିବା ଗଦ୍ୟ ରୀତିକୁ ମଧ୍ୟ ସାହିତ୍ୟିକ ମର୍ଯ୍ୟାଦା ଦୃଷ୍ଟିରୁ ସ୍ୱତନ୍ତ୍ର ଭାବରେ ଗ୍ରହଣ କରାଯାଇଥିଲା। ଅଳ୍ପଦିନ ପାଇଁ ପ୍ରକାଶିତ ହୋଇଥିଲେ ବି ଏହାର ପ୍ରଭାବ ବେଶ୍ କାଳଜୟୀ ବୋଲି କୁହାଯାଇପାରେ।

ନମୁନା ଫାଇଲ୍ ଡାଉନ୍‌ଲୋଡ୍


ଉତ୍କଳ ମଧୁପ

ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ବିବିଧ ବିଷୟ ଉପରେ ୧୯୦୦ ମସିହାରେ ଆରମ୍ଭ ହୋଇଥିଲା ମାସିକ ପତ୍ରିକା ଉତ୍କଳ ମଧୁପ। ବାମଣ୍ଡା ରାଜାଙ୍କ ସହାୟତାରେ ଏହା ପ୍ରକାଶିତ ହୋଇଥିଲା। ଏଥିରେ କବିତା, ନୀତିବାକ୍ୟ, ବିବିଧ ବାର୍ତ୍ତା, ସ୍ୱାସ୍ଥ୍ୟ ତତ୍ତ୍ୱ, କୃଷି ପ୍ରସଙ୍ଗ, ରନ୍ଧନ ଶିକ୍ଷା, ସହଜ ଚିକିତ୍ସା, କୌତୁକ ପ୍ରସଙ୍ଗ, ସରଳ ଜ୍ୟୋତିଷ, ଅର୍ଥନୀତି, ସ୍ମରଣୀୟ ଘଟଣାବଳୀ ଆଦି ବିଭିନ୍ନ ବିଷୟରେ ଛୋଟ ଛୋଟ ଲେଖା ପ୍ରକାଶ ପାଉଥିଲା। କୌଣସି ଲେଖାରେ ଲେଖକଙ୍କର ନାଁ ବା ପରିଚୟ କିଛି ରହୁ ନ ଥିଲା। ସାଧାରଣ ଜୀବନକୁ ଛୁଇଁଲା ଭଳି ବିଷୟମାନ ଏଥିରେ ରହୁଥିବାରୁ ଏହା ଲୋକଙ୍କ ପାଖରେ ଆଦୃତ ହୋଇଥିଲା।

ନମୁନା ରଚନା ସୂଚୀ – ପ୍ରକାଶନ କ୍ରମ ରଚନା ସୂଚୀ – ଲେଖକ କ୍ରମ
ଫାଇଲ୍ ଡାଉନ୍‌ଲୋଡ୍