ଓଡ଼ିଆ ଶବ୍ଦକୋଷ

ଏହି ଅଭିଧାନରେ ସାଧାରଣ କାମରେ ଲାଗୁଥିବା ପ୍ରାୟ ୫୪,୫୦୦ ଓଡ଼ିଆ ଓ ୩୦,୦୦୦ ଇଂରାଜି ଶବ୍ଦ ରହିଛି। ଉଭୟ ପ୍ରକାର ଶବ୍ଦର ଅର୍ଥ ଓଡ଼ିଆ ଭାଷାରେ ଦିଆଯାଇଛି।

ଏହା ସହିତ ପ୍ରଶାସନ ଶବ୍ଦାବଳୀ ଓ ବିଜ୍ଞାନ ଶବ୍ଦକୋଷ ଦୁଇଟି ସ୍ୱତନ୍ତ୍ର ଶବ୍ଦକୋଷ ମଧ୍ୟ ରହିଛି। ଯେ କୌଣସି ଶବ୍ଦର ଅର୍ଥ ଖୋଜିଲେ ସେସବୁ ତିନୋଟିଯାକ ଶବ୍ଦକୋଷରେ ଥିଲେ ତାହା ତଳକୁ ତଳ ଦେଖାଇବ। ନହେଲେ ଯେଉଁ ଗୋଟିଏ ବା ଦୁଇଟି ଶବ୍ଦକୋଷରେ ଥିବ ତାହା ଦେଖାଇବ

ଏଠାରେ ରହିଥିବା ଶବ୍ଦଗୁଡ଼ିକ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏବଂ ଅନ୍ୟ ଅଭିଧାନ/ରଚନାରୁ ସଂଗ୍ରହ କରାଯାଇଛି। ପ୍ରଶାସନିକ ଶବ୍ଦଗୁଡ଼ିକ ମୁଖ୍ୟତଃ ଓଡ଼ିଶା ସରକାର ପ୍ରକାଶ କରିଥିବା ‘ପ୍ରଶାସନିକ ଶବ୍ଦକୋଷ’ରୁ ନିଆଯାଇଛି। ବିଜ୍ଞାନ ପରିଭାଷିକ ଶବ୍ଦଗୁଡ଼ିକ ମୁଖ୍ୟତଃ ଗୋକୁଳାନନ୍ଦ ମହାପାତ୍ରଙ୍କ ଦ୍ୱାରା ସଂପାଦିତ ଓ ବିଜ୍ଞାନ ପ୍ରଚାର ସମିତି ଦ୍ୱାରା ପ୍ରକାଶିତ ସଂଗ୍ରହ ଉପରେ ଆଧାରିତ। ଏହି ସବୁ ଉତ୍ସ ପ୍ରତି ଆମେ କୃତଜ୍ଞ।

ଶବ୍ଦଟିଏ ଖୋଜିବା ପାଇଁ ତାହା ଡାହାଣ ପଟେ ଥିବା ଧଳା ବାକ୍ସରେ ୟୁନିକୋଡ୍ ଅକ୍ଷରରେ ଟାଇପ୍ କରି ‘ଖୋଜନ୍ତୁ/search’ ବୋତାମ ଦବାଇବାକୁ ହେବ। ଏଥିପାଇଁ ନିଜ କମ୍ପ୍ୟୁଟରରେ ଗୋଟିଏ ଓଡ଼ିଆ ୟୁନିକୋଡ୍ ଫଣ୍ଟ ଥିବା ଦରକାର। ୱିଣ୍ଡୋଜ୍ ୭ ବା ପର ସଂସ୍କରଣରେ ସାଧାରଣତଃ ମିଶିକରି ଥିବା କଳିଙ୍ଗ ଫଣ୍ଟ ଠିକ୍ କାମ କରିବ।

ନଚେତ୍ କେଉଁଠୁ ୟୁନିକୋଡ୍ ଫଣ୍ଟ ମିଳିପାରିବ ଓ ତାହା କିପରି ବ୍ୟବହାର କରିବାକୁ ହେବ ସେ ବିଷୟରେ ‘ସାଧନ’ ବିଭାଗରେ ସୂଚନା ଦିଆଯାଇଛି। ନିଜ କମ୍ପ୍ୟୁଟର କିବୋର୍ଡ ସାହାଯ୍ୟରେ ଟାଇପ କରିହେବ କିମ୍ବା ଏଠାରେ ଦିଆଯାଇଥିବା କିବୋର୍ଡ ବ୍ୟବହାର କରିହେବ। ‘କିବୋର୍ଡ’ ବୋତାମ ଦବାଇଲେ କିବୋର୍ଡ ଖୋଲିବ ଓ ସେଥିରେ ‘ଓଡ଼ିଆ/ଇଂରାଜୀ’ ବିକଳ୍ପ ବାଛିହେବ। ଓଡ଼ିଆରେ ଟାଇପ କରିବା ପାଇଁ ସାଧାରଣ ସୂଚନା ଏଠାରେ ଦିଆଯାଇଛି (ସାଧନ ବିଭାଗରେ ଅଧିକ)। ଓଡ଼ିଆରେ ଟାଇପ କରିବା ପାଇଁ:

୧. ଅକ୍ଷର ଚାବି ଦବାଇ ତାହା ଟାଇପ କରନ୍ତୁ, ସ୍ୱର ବର୍ଣ୍ଣ ଓ ଅନ୍ୟ କିଛି ଅକ୍ଷର ପାଇଁ ସିଫ୍ଟ ଚାବି ଦବାଇବାକୁ ପଡ଼ିବ। ୨. ଯେଉଁଠି ଦରକାର ଅକ୍ଷର ପରେ ମାତ୍ରା ଟାଇପ କଲେ ତାହା ଯୋଡ଼ିହୋଇଯିବ। ୩. ଯୁକ୍ତାକ୍ଷର ପାଇଁ ମୂଳ ଅକ୍ଷର ଟାଇପ୍ କରି ୍ (ହଳନ୍ତ୍) ଚାବି (D) ଦବାନ୍ତୁ ଓ ଦ୍ୱିତୀୟ ଅକ୍ଷର ଟାଇପ୍ କରନ୍ତୁ (ଅଧିକ ଜାଣିବା ପାଇଁ ସାଧନ ବିଭାଗ ଦେଖନ୍ତୁ)। ଉଦାହରଣ: ଙ ୍ କ = ଙ୍କ, ଷ ୍ ପ = ଷ୍ପ।

ଅନ୍‌ସ୍କ୍ରିନ୍ କିବୋର୍ଡରେ ଟାଇପ କଲାପରେ କମ୍ପ୍ୟୁଟର କିବୋର୍ଡରେ ତଳମୁହାଁ ତୀର (↓) ଦବାଇଲେ ଶବ୍ଦଟି ଅଭିଧାନରେ ଖୋଜିବା ଜାଗାକୁ ଚାଲିଆସିବ।