ଓଡ଼ିଆ ପତ୍ରିକା

ଓଡ଼ିଆ ଭାଷାରେ ଗଦ୍ୟ ରଚନାକୁ ବଳିଷ୍ଠ କରିବାରେ ଖବରକାଗଜର ବିଶେଷ ଭୂମିକା ରହିଥିଲା। ବିଭିନ୍ନ ପତ୍ରିକା ମାଧ୍ୟମରେ ଏହି ଧାରା ଆହୁରି ଆଗେଇ ପାରିଲା। ପତ୍ରିକାର ଦୀର୍ଘତର ଲେଖାଗୁଡ଼ିକ ଗଭୀରତର ଆଲୋଚନା ପାଇଁ ସୁବିଧା ଯୋଗାଇଲେ। ଅଳ୍ପ ସମୟ ବ୍ୟବଧାନରେ ପ୍ରକାଶ ପାଉଥିବାରୁ ବିତର୍କ ପାଇଁ ଏଗୁଡ଼ିକ ସହାୟକ ହେଲେ ଏବଂ ଚିନ୍ତାଧାରାର ବିକାଶ ପାଇଁ ବାଟ ଖୋଲିଦେଲେ। ଲେଖାଗୁଡ଼ିକ ବହିଠାରୁ ହାଲୁକା ଓ ଛୋଟ ହେଉଥିବାରୁ ସାଧାରଣ ଲୋକମାନେ ମଧ୍ୟ ଏ ସବୁକୁ ପଢ଼ିପାରିଲେ ଏବଂ ବିଭିନ୍ନ ବିଷୟରେ ଜାଣିବାର ସୁଯୋଗ ପାଇଲେ। ଲେଖକମାନେ ନିଜର ପ୍ରାରମ୍ଭିକ ଚିନ୍ତାକୁ ଲିଖିତ ରୂପ ଦେବାକୁ ପତ୍ରିକାକୁ ମାଧ୍ୟମ କଲେ, ପାଠକ ପ୍ରତିକ୍ରିୟାକୁ ଆଧାର କରି ବିଷୟବସ୍ତୁକୁ ପାକଳକରି ତାହାକୁ ବହିର ରୂପ ଦେଲେ।

ଓଡ଼ିଆ ଭାଷାର ପ୍ରଥମ ପତ୍ରିକା କୁଜିବର ପତ୍ର ୧୭୬୯ ମସିହାରେ କୁଜିବର ମଠର ମହନ୍ତ ସାଧୁ ସୁନ୍ଦର ଦାସଙ୍କ ଦ୍ୱାରା ହାତଲେଖା ପତ୍ରିକା ଭାବରେ ପ୍ରକାଶ ପାଇଥିଲା। କିନ୍ତୁ ଛାପାକଳର ସୁବିଧା ମିଳିବାରୁ ୧୮୪୯ ମସିହାରେ ମିସନାରୀମାନେ ପ୍ରକାଶ କଲେ ଜ୍ଞାନାରୁଣ। ଏହାପରେ ୧୮୫୬-୫୮ ମସିହା ଭିତରେ ପ୍ରକାଶିତ ହେଲା ପ୍ରବୋଧ ଚନ୍ଦ୍ରିକା। ଏହି ପତ୍ରିକାଟି ବନ୍ଦ ହେବା ପରେ ୧୮୬୧ ମସିହାରେ ପ୍ରକାଶିତ ହେଲା ଅରୁଣୋଦୟ ନାମରେ ଗୋଟିଏ ପତ୍ରିକା। ଏହା ପ୍ରାୟ ତିନିବର୍ଷ ଧରି ପ୍ରକାଶ ପାଇଥିଲା। କିନ୍ତୁ ଦୁଃଖର କଥା ଯେ ପ୍ରଥମ ଓ ତୃତୀୟ ପତ୍ରିକା ଦୁଇଟିର କୌଣସି ସଂଖ୍ୟା ଏବେ କେଉଁଠାରେ ବି ଉପଲବ୍ଧ ନାହିଁ।

୧୮୭୩ ମସିହାରେ ବାଲେଶ୍ୱରରୁ ପ୍ରକାଶିତ ମାସିକ ‘ଉତ୍କଳ ଦର୍ପଣ’ ପ୍ରଥମ ଓଡ଼ିଆ ସାହିତ୍ୟ ପତ୍ରିକା ଥିଲା। ଏହା ପରେ ଉତ୍କଳ ମଧୁପ (୧୮୭୮), ପ୍ରଦୀପ (୧୮୮୫) ଭଳି ଆଉ କିଛି ପତ୍ରିକା ପ୍ରକାଶ ପାଇଥିଲେ, କିନ୍ତୁ ଏହି ସବୁଗୁଡ଼ିକ ସ୍ୱଳ୍ପଜୀବୀ ହୋଇଥିଲେ। ୧୮୯୭ ମସିହାରେ ଜନ୍ମ ନେଇଥିବା ‘ଉତ୍କଳ ସାହିତ୍ୟ’ ସବୁ ଦୃଷ୍ଟିରୁ ଏକ ବଳିଷ୍ଠ ପ୍ରକାଶନ ଭାବରେ ଓଡ଼ିଆ ସାହିତ୍ୟରେ ତା’ର ସ୍ଥାନ ଦଖଲ କଲା। ଆଜିଯାଏ ବାହାରିଥିବା ଓଡ଼ିଆ ପତ୍ରିକାଗୁଡ଼ିକ ଭିତରେ ଏହାର ଜୀବନକାଳ ଦୀର୍ଘତମ ଗୋଷ୍ଠୀରେ ରହିଛି। ବିଂଶ ଶତାବ୍ଦୀରେ ମୁକୁର (୧୯୦୬), ସତ୍ୟବାଦୀ (୧୯୧୫), ସହକାର (୧୯୨୦), ନବଭାରତ (୧୯୩୪) ଭଳି ଆହୁରି ଅନେକ ପତ୍ରିକା ବାହାରିଲେ। ବିଷୟବସ୍ତୁ, ସମ୍ପାଦନା ଶୈଳୀ, ପ୍ରକାଶକୀୟ ଚିନ୍ତାଧାରା ଆଦିର ବିଚାରରେ ପ୍ରତ୍ୟେକଟିର ନିଜତ୍ୱ ରହିଥିଲା ଏବଂ ନିଜ ନିଜ ଧାରାରେ ପ୍ରତ୍ୟେକେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆଗେଇନେବାରେ ଲାଗିଲେ। ନୂଆ ଲେଖକ ସୃଷ୍ଟି କରିବାରେ ଓ ସେମାନଙ୍କୁ ପାକଳ କରିବା ଦିଗରେ ମଧ୍ୟ ଏଗୁଡ଼ିକ ବିଶେଷ ସହାୟକ ହେଲେ।

ଓଡ଼ିଆ ପତ୍ରିକାଗୁଡ଼ିକ ଭିତରୁ ଅଧିକାଂଶ ବିବିଧ ବିଷୟକୁ ଛୁଉଁଥିଲେ। କିନ୍ତୁ ବାଳୁତ, ମହିଳା, ସମବାୟ କର୍ମୀଙ୍କ ଭଳି ସ୍ୱତନ୍ତ୍ର ଗୋଷ୍ଠୀଙ୍କ ପାଇଁ ଏବଂ ଧର୍ମ/ଆଧ୍ୟାତ୍ମ୍ୟ, ଶିକ୍ଷା, ବିଜ୍ଞାନ ଆଧାରିତ କିଛି ବିଶେଷ ଧରଣର ପତ୍ରିକା ମଧ୍ୟ ୧୯୫୦ ମସିହା ଆଗରୁ ବାହାରୁଥିଲା। ‘ବିଜ୍ଞାନ ଦର୍ପଣ’ (୧୮୮୦), ‘ଶିକ୍ଷାବନ୍ଧୁ’ (୧୮୮୫), ‘ପରିଚାରିକା’ (୧୯୧୭, ମହିଳା), ‘ପଞ୍ଚାମୃତ’ (୧୯୨୦, ଶିଶୁ-କିଶୋର) ଆଦି ଏହାର କିଛି ଉଦାହରଣ। ‘ଡଗର’ (୧୯୩୭) ଓ ନିଆଁଖୁଣ୍ଟା (୧୯୩୮) ଭଳି ସମାଲୋଚନା / ବ୍ୟଙ୍ଗ / ହାସ୍ୟରସାତ୍ମକ ପତ୍ରିକା ୧୯୩୦ ଦଶକରେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପ୍ରବେଶ କରିଥିଲେ ଏବଂ ସ୍ୱାଧୀନତାର ପର ସମୟରେ ମଧ୍ୟ ପ୍ରକାଶନ ଜାରି ରଖିଥିଲେ।

୧୯୫୦ ମସିହା ଆଗରୁ ବାହାରୁଥିବା ଓଡ଼ିଆ ପତ୍ରିକା ଭିତରୁ ପ୍ରାୟ ସବୁଗୁଡ଼ିକ ଏହି ସମୟକୁ ବନ୍ଦ ହୋଇଯାଇଥିଲେ। ୧୯୫୦ ଦଶକରେ କିଛି ନୂଆ ପତ୍ରିକା ପ୍ରକାଶନ ଆରମ୍ଭ କଲେ। ‘ଝଙ୍କାର’ (୧୯୪୯), ‘ସଂସାର’ (୧୯୫୧), ‘ସମାବେଶ’ (୧୯୫୫), ‘ନବଜୀବନ’ (୧୯୫୬), ‘କୋଣାର୍କ’ (୧୯୫୮) ଭଳି ନୂଆ ପତ୍ରିକା ଭିତରୁ କେତେକ ଅଳ୍ପ କିଛି ବର୍ଷ ଭିତରେ ବନ୍ଦ ହୋଇଯାଇଥିଲେ ଏବଂ ଆହୁରି କିଛି ନୂଆ ପତ୍ରିକା ବାହାରିବାରେ ଲାଗିଲେ। ଓଡ଼ିଆ ପତ୍ରପତ୍ରିକା ବିଷୟରେ ଅଧିକ ବିବରଣୀ ରୋଫରେନ୍‌ସ୍>ଗ୍ରନ୍ଥସୂଚୀ ବିଭାଗରେ ଥିବା କିଛି ପ୍ରକାଶନରୁ ମିଳି ପାରିବ।

ପୁରୁଣା ଓଡ଼ିଆ ପତ୍ରିକା ପାଇବା ଅତି କଷ୍ଟର କଥା। ଅନେକଗୁଡ଼ିଏ ସଂଖ୍ୟା ଏବେ ବିଲୁପ୍ତ। ଆଉ କିଛି ବ୍ୟକ୍ତିଗତ ବା ଆନୁଷ୍ଠାନିକ ମାଲିକାନାରେ ଅପହଞ୍ଚ। ଏହି ପରିସ୍ଥିତିରେ ମିଳିଥିବା ଓଡ଼ିଆ ପତ୍ରିକାଗୁଡ଼ିକର ଡିଜିଟାଲ ରୂପ ଏହି ୱେବ୍‌ସ୍ଥଳୀରେ ଦିଆଯାଇଛି। ବାମ କଡ଼ରେ ଥିବା ପତ୍ରିକା ସୂଚୀ ବୋତାମ ଉପରେ ମାଉସ୍ କ୍ଲିକ୍ କଲେ ସେଗୁଡ଼ିକୁ ଖୋଜି ଦେଖିହେବ। ଡାଉନଲୋଡ୍ କରିବାର ବ୍ୟବସ୍ଥା ମଧ୍ୟ ସେଠାରେ ରହିଛି।