ଓଡ଼ିଆ ଖବରକାଗଜ
କୌଣସି ଭାଷା ବା ସାହିତ୍ୟର ବିକାଶ ପାଇଁ ସମ୍ବାଦପତ୍ର ଏବଂ ଅନ୍ୟ ନିୟମିତ ପ୍ରକାଶନ ବହୁତ ଜରୁରୀ। ୧୮୬୬ ମସିହାରେ ଉତ୍କଳ ଦୀପିକା ଓଡ଼ିଆ ପ୍ରକାଶନ କ୍ଷେତ୍ରରେ ଗୋଟିଏ ନୂଆ ମୋଡ଼ ଆଣିଲା। ଏହା ଥିଲା ଓଡ଼ିଆ ଭାଷାର ପ୍ରଥମ ସମ୍ବାଦପତ୍ର। ସେ ସମୟର ସାମାଜିକ ପରିସ୍ଥିତି ଦୃଷ୍ଟିରୁ ଏହାର ପ୍ରକାଶନ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହାପରେ ସମ୍ବାଦପତ୍ର ଭାବରେ ପ୍ରକାଶ ପାଇଥିଲା ବାଲେଶ୍ୱର ସମ୍ବାଦବାହିକା। ଆଉ କିଛି ଛୋଟ ସମ୍ବାଦପତ୍ର ପ୍ରକାଶିତ ହେବା ପରେ ଦେବଗଡ଼ରୁ ପ୍ରକାଶିତ ହେଲା ସମ୍ବଲପୁର ହିତୈଷିଣୀ। ଉନବିଂଶ ଶତାବ୍ଦୀର ଶେଷ ଭାଗକୁ ଓଡ଼ିଆ ଭାଷାର ନିୟମିତ ପ୍ରକାଶନ ଭିତରେ ଅଧିକାଂଶ ଥିଲେ ସମ୍ବାଦପତ୍ର।
୧୮୪୯ରୁ ୧୮୬୬ ମସିହା ଭିତରେ ତିନିଟି ଓଡ଼ିଆ ମାସିକ ପତ୍ରିକା ପ୍ରକାଶିତ ହୋଇଥିଲେ ଏବଂ ଅଳ୍ପଦିନ ପରେ ବନ୍ଦ ହୋଇଯାଇଥିଲେ। ୧୮୬୬ରୁ ୧୮୯୭ ଭିତରେ ଆଉ କେତୋଟି ପତ୍ରିକା ବାହାରି ସେହିଭଳି ବନ୍ଦ ହୋଇଯାଇଥିଲେ। ହୁଏତ ପତ୍ରିକାର ଅଭାବ ପୂରଣ କରିବା ପାଇଁ ସେ ସମୟର ଓଡ଼ିଆ ଖବରକାଗଜଗୁଡ଼ିକ ବିଭିନ୍ନ ଦୈର୍ଘ୍ୟର ଫିଚରଧର୍ମୀ ଲେଖା ପାଇଁ ମଧ୍ୟ ସ୍ଥାନ ଦେଉଥିଲେ। ସେଭଳି କିଛି ଲେଖାରେ ଗୁରୁତ୍ତ୍ୱପୂର୍ଣ୍ଣ ତାତ୍ତ୍ୱିକ ଆଲୋଚନା ମଧ୍ୟ କରାଯାଉଥିଲା।
ଭାଷାର ବିକାଶରେ ଖବରକାଗଜଗୁଡ଼ିକ ବିଶେଷ ସାହାଯ୍ୟ କରିଥିଲେ। କାବ୍ୟସାହିତ୍ୟର ଆଳଙ୍କାରିକ ଭାଷା ବଦଳରେ ସାଧାରଣ ଲୋକ ବୁଝିବା ଭଳି ସରଳ ଗଦ୍ୟ ଖବରକାଗଜର ମାଧ୍ୟମ ହେଲା। ବିଭିନ୍ନ ଅଞ୍ଚଳର ଖବର ଛାପିବା ପାଇଁ ସ୍ଥାନୀୟ ଶବ୍ଦମାନ ବ୍ୟବହୃତ ହେଲା। ଏହିଭଳି ଅନେକ ଦିଗରୁ ଖବରକାଗଜଗୁଡ଼ିକ ଭାଷାକୁ ଲୋକାଭିମୁଖୀ କରିବାରେ ତାଙ୍କର ଭୂମିକା ତୁଲାଇଲେ।
ଏହି ୱେବ୍ସ୍ଥଳୀରେ ରହିଥିବା ପୁରୁଣା ଓଡ଼ିଆ ଖବରକାଗଜଗୁଡ଼ିକର ତାଲିକା ତଳେ ଦିଆଯାଇଛି। ବାମ କଡ଼ରେ ଥିବା ‘ଖବରକାଗଜ ସୂଚୀ‘ ବୋତାମ ଉପରେ ମାଉସ୍ କ୍ଲିକ୍ କଲେ ଏହି ୱେବ୍ସ୍ଥଳୀରେ ରହିଥିବା ପୁରୁଣା ଓଡ଼ିଆ ଖବରକାଗଜଗୁଡ଼ିକର ତାଲିକା ଦେଖିହେବ। ଡାଉନଲୋଡ୍ କରିବାର ବ୍ୟବସ୍ଥା ମଧ୍ୟ ସେଠାରେ ରହିଛି।