ଓଡ଼ିଆ ଭାଷାର ବିଶେଷ ବିଭବ
ସମସ୍ତଙ୍କର କିଛି ନା କିଛି ଅତି ଆଦରର ଜିନିଷ ରହିଥାଏ। ବ୍ୟକ୍ତିର, ଦଳର ଓ ଜାତିର। ଓଡ଼ିଆ ଜାତିର ଏଭଳି କିଛି ରହିବା ମଧ୍ୟ ସ୍ୱାଭାବିକ କଥା। ତାହା ଭିତରୁ କେତୋଟି ଅମୂଲ୍ୟ ବିଭବ ଏଠାରେ ଦିଆଯାଉଛି।
ଏହି ଉପସ୍ଥାପନାର ଲକ୍ଷ୍ୟହେଉଛି ଆଗ୍ରହ ସୃଷ୍ଟି କରାଇବା ଓ ସାଧାରଣ ଭାବରେ କୌତୂହଳୀ ଲୋକଙ୍କୁ ଏସବୁ ଦେଖିବାର ସୁଯୋଗ ଦେବା। ଏସବୁ ବିଷୟରେ ଅଧିକ ଜାଣିବା ପାଇଁ ବହି ବିଭାଗରେ ଖୋଜିଲେ ଆହୁରି କିଛି ମିଳିପାରିବ।
୧
ଓଡ଼ିଆ ଭାଷାର ଆଦିରଚନା ଚର୍ଯ୍ୟାଗୀତିକା, ମଧ୍ୟକାଳର ରଚନା ମାଦଳା ପାଞ୍ଜି, ପ୍ରଥମ ନାଟକ, ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ।
୨
ଗୀତଗୋବିନ୍ଦ – ଜୟଦେବଙ୍କର କାଳଜୟୀ ସର୍ଜନା ଓ ତାହାର ବିଭିନ୍ନ ଅନୁବାଦ ଓ ବ୍ୟାଖ୍ୟା – ମୂଳ ସଂସ୍କୃତ ଶ୍ଳୋକ, ଧରଣୀଧରଙ୍କ ଓଡ଼ିଆ ପଦ୍ୟାନୁବାଦ, ନୀଳମଣି ମିଶ୍ରଙ୍କର ଓଡ଼ିଆ ଗଦ୍ୟ ରୂପ ଏବଂ ରାଜ୍ୟ ସଂଗ୍ରହାଳୟ ଦ୍ୱାରା ପ୍ରସ୍ତୁତ ଇଂରାଜୀ ଭାଷାନ୍ତର।
୩
ପଠାଣୀ ସାମନ୍ତଙ୍କର ବିଶିଷ୍ଟ କୃତି ସିଦ୍ଧାନ୍ତ ଦର୍ପଣ ଓ ତା’ର ବିଭିନ୍ନ ଅନୁବାଦ ଏବଂ ସାମନ୍ତଙ୍କ କାମ ବିଷୟରେ କିଛି ବିଶେଷ ଚର୍ଚ୍ଚା।
ଗୀତଗୋବିନ୍ଦ
ସାଧାରଣାବ୍ଦ ଦ୍ୱାଦଶ ଶତାବ୍ଦୀରେ ଲେଖାଯାଇଥିବା ଗୀତଗୋବିନ୍ଦ ଓଡ଼ିଶାର ଅନନ୍ୟ କବି ଶ୍ରୀଜୟଦେବଙ୍କର ଅମର କାବ୍ୟ। ଏଥିରେ ରାଧାକୃଷ୍ଣଙ୍କର ବିରହ-ମିଳନ କାହାଣୀ ବର୍ଣ୍ଣିତ।
ମୋଟ ୭୨ଟି ଶ୍ଲୋକରେ ଗୀତଗୋବିନ୍ଦ ଲେଖା – ଶ୍ଳୋକଗୁଡ଼ିକ ୧୨ଟି ସର୍ଗ ଓ ୨୪ଟି ଗୀତରେ ବାଣ୍ଟିହୋଇ ରହିଛି। ଏ ଭିତରୁ କେବଳ ୧ମ ଓ ୧୦ମ ଗୀତର ପଦସଂଖ୍ୟା ୧୧ ଓ ୫। ବାକି ୨୨ଟି ଗୀତରେ ୮ଟି ପଦ ଥିବାରୁ ଏହାକୁ ଅଷ୍ଟପଦୀ କୁହାଯାଏ।
ଏହାର ଭାଷା ଅତି ସୁନ୍ଦର, ଭାବପୂର୍ଣ୍ଣ ଓ ସୁମଧୁର ହୋଇଥିବାରୁ ସଙ୍ଗୀତ, ନୃତ୍ୟ ଓ ସାହିତ୍ୟ କ୍ଷେତ୍ରରେ ଏକ ବିଶେଷ ସ୍ଥାନ ଅଧିକାର କରିଛି। ଜଗନ୍ନାଥଙ୍କ ମନ୍ଦିରରେ ସନ୍ଧ୍ୟା ଆଳତି, ବଡ଼ସିଂହାର ବେଶ ଆଦି ସମୟରେ ଗୀତଗୋବିନ୍ଦ ବୋଲାଯିବାର ପରମ୍ପରା ରହିଛି। ଆଗେ ଦେବଦାସୀ ଥିବା ସମୟରେ ମାହାରୀମାନେ ଗୀତଗୋବିନ୍ଦ ଗାଇ ଜଗନ୍ନାଥଙ୍କ ଆଗରେ ନୃତ୍ୟ କରୁଥିଲେ।
ଏଠାରେ ଦିଆଯାଇଥିବା ବିଷ୍ଣୁଙ୍କ ଦଶବତାର ବିଷୟରେ ଅନ୍ୟ ଜାଗାରେ ଆଗରୁ ଲେଖାଯାଇଥିଲେ ବି ଗୀତଗୋବିନ୍ଦରେ ଥିବା ଦଶାବତାର ଅଧିକ ଲୋକପ୍ରିୟ। ସାଧାରଣ ଲୋକଙ୍କ ମୁଖରେ ବି ଏହା ଶୁଣାଯାଏ। ଅନେକ ଦିନ ତଳୁ ଗୀତଗୋବିନ୍ଦର ମୂଳ ସଂସ୍କୃତ ରୂପ ବିଭିନ୍ନ ଭାଷାରେ ଅନୁବାଦ କରାଯାଇଛି। ପୁରୁଣା ଓଡ଼ିଆ ଅନୁବାଦ ଭିତରୁ ଧରଣୀଧର ଦାସ (ମିଶ୍ର)ଙ୍କର ଓଡ଼ିଆ ପଦ୍ୟାନୁବାଦ (୧୮ଶ ଶତାବ୍ଦୀ) ଖୁବ୍ ଲୋକପ୍ରିୟ ଥିଳା।
ଏଠାରେ ତାହାର ବିଭିନ୍ନ ଅନୁବାଦ ଓ ବ୍ୟାଖ୍ୟା – ମୂଳ ସଂସ୍କୃତ ଶ୍ଳୋକ, ଧରଣୀଧରଙ୍କ ଓଡ଼ିଆ ପଦ୍ୟାନୁବାଦ, ନୀଳମଣି ମିଶ୍ରଙ୍କର ଓଡ଼ିଆ ଗଦ୍ୟ ରୂପ ଏବଂ ରାଜ୍ୟ ସଂଗ୍ରହାଳୟ ଦ୍ୱାରା ପ୍ରସ୍ତୁତ ଇଂରାଜୀ ଭାଷାନ୍ତର – ସବୁକୁ ମିଶାଇ ଦିଆଯାଇଛି। ତାଳପତ୍ର ପୋଥୀର ଚିତ୍ରଗୁଡ଼ିକ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ୱେବ୍ସ୍ଥଳୀରୁ (ova.gov.in) ନିଆଯାଇଛି, ବଡ଼ ଆକାରର ମୂଳ ଚିତ୍ରଗୁଡ଼ିକ ସେଠାରେ ମିଳିବ।
ଗୀତଗୋବିନ୍ଦର ଏହି ବିଶେଷ ଉପସ୍ଥାପନାର ଆକାର ବେଶ୍ ବଡ଼ (୨୦୧ ପୃଷ୍ଠା)। ତେଣୁ ତାକୁ ଏଠାରେ ୬ଟି ଭାଗରେ ଦିଆଯାଇଛି ଯେପରି ତାହା ସହଜରେ ଖୋଲିପାରିବ।